୨୦ ଲକ୍ଷ କୋଟିର ଦୁର୍ନୀତି ଗ୍ୟାରେଣ୍ଟି” ବିରୋଧୀ ଏକତା ପ୍ରତି ମୋଦୀଙ୍କ କଟାକ୍ଷ

ଭୋପାଳ : ଗତ ୨୩ ତାରିଖରେ ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ବିରୋଧୀ ଏକତା ବୈଠକକୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୋପାଳରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଏହି ମେଣ୍ଟର ଅର୍ଥ ହେଉଛି ନିଶ୍ଚିତ ଦୁର୍ନୀତି ।
“ଆଜିକାଲି ଏକ ନୂଆ ଶବ୍ଦ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି- ସେହି ଶବ୍ଦଟି ହେଉଛି ଗ୍ୟାରେଣ୍ଟି ।  ବିଜେପି କର୍ମୀଙ୍କ ଦାୟିତ୍ବ ହେଉଛି ଲୋକମାନଙ୍କୁ ଜଣାଇବା ଯେ ଦୁର୍ନୀତିର ଗ୍ୟାରେଣ୍ଟି ହେଉଛି ବିରୋଧୀ ଦଳଙ୍କ ମେଣ୍ଟ । କିଛି ଦିନ ତଳେ ସେମାନେ ଏକ ‘ଫଟୋ ଅପ୍’ କାର୍ଯ୍ୟକ୍ରମ କରିଥିଲେ, ଯେଉଁଥିରେ ଆମେ ଯାହାର ଫଟୋକୁ ଦେଖିବା ତାହା ଗୋଟିଏ ଗୋଟିଏ ଦୁର୍ନୀତିର ଗ୍ୟାରେଣ୍ଟି ।  ଏସବୁକୁ ମିଶାଇ ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତିର ଗ୍ୟାରେଣ୍ଟି ଦିଆଯାଇପାରେ । କେବଳ କଂଗ୍ରେସ ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛି ।

ଆଜି ମୁଁ ମଧ୍ୟ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି। ଯଦି ସେମାନଙ୍କ (ବିରୋଧୀ) ଦୁର୍ନୀତିର ଗ୍ୟାରେଣ୍ଟି ଅଛି, ମୋଦୀଙ୍କର ମଧ୍ୟ ଏକ ଗ୍ୟାରେଣ୍ଟି ଅଛି – ପ୍ରତ୍ୟେକ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି । ଗରିବଙ୍କୁ ଲୁଟ୍ କରିଥିବା, ଦେଶକୁ ଲୁଟ୍ କରିଥିବା ପ୍ରତ୍ୟେକ ଚୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯିବ। ଆଜି ଯେତେବେଳେ ସେମାନଙ୍କୁ ଜେଲ କାନ୍ଥ ଦେଖାଯାଉଛି, ସେମାନେ ଏକାଠି ହୋଇଯାଉଛନ୍ତି ।

Spread the love