ଏସସିବି ମେଡିକାଲ ହେବ ବିଶ୍ୱ ସ୍ତରୀୟ

ଭୁବନେଶ୍ୱର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା ଚଳାଇଛନ୍ତି । ଆଜି ଏସସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ୍ ଅଞ୍ଚଳ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପରିଦର୍ଶନ କରିବା ପରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ଏହାର ସମୀକ୍ଷା କରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ହୋଇଛି ।

ସୂଚନା ଅନୁଯାୟୀ, ବିଶ୍ୱସ୍ତରୀୟ ହସ୍ପିଟାଲ୍ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ହସ୍ପିଟାଲ୍ ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସ ଉଚ୍ଛେଦ ହେବ । ଏହି ପ୍ରକ୍ରିୟାରେ ୧୩ ଜଣ ଡାକ୍ତରଙ୍କ ସରକାରୀ ଘର ହଟାଯିବ । ତେବେ ଉଚ୍ଛେଦ କର୍ମଚାରୀମାନଙ୍କୁ ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରାଯାଉଥିବା ବେଳେ ଅନ୍ୟ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରାଯିବ ।

ଉକ୍ତ ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ । ଫେବୃଆରୀ ୨୮ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର‌୍ୟ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର‌୍ୟ୍ୟ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯୋଜନା ଅନୁଯାୟୀ, ତାଳଦଣ୍ଡା କେନାଲ ବନ୍ଧରୁ ହସ୍ପିଟାଲ୍ କୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍ ବିଶିଷ୍ଟ କରାଯିବ । ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍ ନିର୍ମାଣ କରାଯିବ ।

Spread the love