ବିଦ୍ୟାଳୟର ଆଲମାରୀ ତାଡ଼ି ଚୋର ନେଇଗଲେ ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା

ରାୟଗଡା: ଜିଲ୍ଳା ସଦର ମହକୁମାସ୍ଥିତ ଗାନ୍ଧୀନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତିରେ ଚୋର କଳାକନା ବୁଲାଇ ଦେଇଛି। ସ୍କୁଲ କର୍ତ୍ତୃପକ୍ଷ ତରଫରୁ ରାୟଗଡା ଥାନାରେ ଏତଲା ଦିଆଯିବା ପରେ ରାୟଗଡା ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି। ତେବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ଠାରୁ ମାତ୍ର ୫୦ ମିଟର ଦୂରରେ ତଥା ସୁରକ୍ଷିତ ଅଂଚଳରେ ସ୍କୁଲଟି ରହିଥିଲେ ମଧ୍ୟ ଚୋର ବେଧଡକ ଚୋରି କରିବାରେ ସଫଳ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ୩ଟି ଆଲମାରୀ ଭାଙ୍ଗି ଛାତ୍ରଛାତ୍ରୀମାନଙ୍କ ପାଇଁ ରଖାଯାଇଥିବା ୨ରୁ ୩ ହଜାର ବୃତ୍ତି ଟଙ୍କା ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହୃତ ହେଉଥିବା ସାଉଣ୍ଡ ସିଷ୍ଟମ ଚୋରି କରି ନେଇଛନ୍ତି ଦୁର୍ବୁତ୍ତ, ଯାହାର ମୂଲ୍ୟ ୧୫ ହଜାରରୁ ୨୦ହଜାର ଟଙ୍କା ମଧ୍ୟରେ ହେବ ବୋଲି ଜଣାପଡିଥିବା ବେଳେ ବିଦ୍ୟାଳୟର କମ୍ପ୍ୟୁଟର କଠୋରୀର ଝରକାର ଲୁହାରଡ୍ କାଢି ଭିତରକୁ ଯାଇ କିଛି ଜିନିଷ ଭାଙ୍ଗିରୁଜି ଦେଇଛନ୍ତି ଦୁର୍ବୁତ୍ତ। ଏପରିକି ବିଦ୍ୟାଳୟର ନୋଟିସ ବୋର୍ଡରେ ଲଗାଯାଇଥିବା ଫଟୋଗୁଡିକ ମଧ୍ୟରେ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ବାତ୍ରିଆଙ୍କ ବିଭିନ୍ନ ଫଟୋରେ ପେପର ପିନ୍ଗୁଡିକୁ ଆକ୍ରୋଶମୂଳକ ଭାବେ ମରାଯାଇଥିବା ଦେଖିବାକୁ ମିଳିଛି।
ପୂର୍ବରୁ କିଛି ଅସାମାଜିକ ଯୁବକ ବିଦ୍ୟାଳୟରେ ଅନାଧିକାର ପ୍ରବେଶ କରି ମଦ ପିଉଥିବା ବେଳେ ସେମାନଙ୍କୁ ତାଗିଦ କରାଯାଇଥିବାରୁ ଏହା ପ୍ରଧାନଶିକ୍ଷକଙ୍କ ଉପରେ ପ୍ରତିଶୋଧ ମୂଳକ ଭାବେ ରାଗ ରଖି ବିଦ୍ୟାଳୟରେ ଚୋରି କରାଯାଇଥିବା ନେଇ ପ୍ରଧାନଶିକ୍ଷକ ଶ୍ରୀ ବାତ୍ରିଆ ପ୍ରକାଶ କରିଛନ୍ତି। ତେବେ ଏହି ଚୋରି ଘଟଣାରେ ବିଦ୍ୟାଳୟର କିଛି ଛାତ୍ରଙ୍କ ହାତ ରହିଛି ନା ଅନ୍ୟ ଦୁର୍ବୁତ୍ତଙ୍କ ସଂପୃକ୍ତି ରହିଛି ତାହା ପୁଲିସ ତଦନ୍ତ ପରେ ହିଁ ଜଣାପଡିବ।

Spread the love