ବଦଳୁଛି ସରକାରୀ ହାଇସ୍କୁଲର ଚିତ୍ର, ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ ରୁମରେ ପାଠ ପଢିବେ ଛାତ୍ରଛାତ୍ରୀ

ପୁରୀ ୧୧।୧୧: ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ ରୁମରେ ପାଠ ପଢିବେ ଛାତ୍ରଛାତ୍ରୀ। ଏଥିପାଇଁ ପୁରୀ ଜିଲ୍ଲାର ୬୦ଟି ସରକାରୀ ହାଇସ୍କୁଲରେ ସ୍ମାର୍ଟ କ୍ଲାସ ରୁମର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଏହି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସ୍ମାର୍ଟ ସ୍କୁଲରେ ରହିବ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍, ପାଠ ପଢା ଉପକରଣ, ପାର୍କ ଓ ଖେଳପଡିଆ। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା  କରାଯାଉଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଅଭିଭାବକ, ଶିକ୍ଷକ ଓ ଛାତ୍ର ଛାତ୍ରୀ।

ଘରୋଇ ସ୍କୁଲ ଭଳି ଚକାଚକ୍ ରୁମ୍। ଇ- ଲାଇବ୍ରେରୀ, ଲାବ୍ରୋଟୋରୀ, ଇଣ୍ଟରନେଟ ସୁବିଧା ସହ ପାଠପଢା ଉପକରଣ ସବୁକିଛି ପ୍ରସ୍ତୁତ। ସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପୁରୀ ଜିଲ୍ଲାରେ ଆରମ୍ଭ କରିବାକୁ ଯାଉଛନ୍ତି ସ୍ମାର୍ଟ ସ୍କୁଲ। ଜିଲ୍ଲାରେ ୬୦ଟି ସରକାରୀ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଥିବା ବେଳେ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ପୁରୀ ସହରରେ ଚାରୋଟି ହାଇସ୍କୁଲ ବିଶ୍ବମ୍ବର ବିଦ୍ୟାପୀଠ, ଭୋଳାନାଥ, ବିଦ୍ୟାପୀଠ, ସୁକଲତା ସ୍ମୃତି ସରକାରୀ ବିଦ୍ୟାଳୟ ଓ ସରକାରୀ ବାଳିକା ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଛି। ଆସନ୍ତା ୧୪ ତାରିଖ ଶିଶୁ ଦିବସ ଅବସରରେ ଭିଡିଓ କନଫରେସିଂ ମାଧ୍ୟମରେ ଏହି ସ୍ମାର୍ଟ ସ୍କୁଲର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଜିଲ୍ଲାପାଳ।  ତେବେ ସ୍କୁଲରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସଂଖ୍ୟା ବଢାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁକଲତା ସରକାରୀ ସ୍କୁଲର ଆଲୁମିନି।

ସରକାରୀ ସ୍କୁଲରେ ଶିକ୍ଷାଦାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଏହି ସ୍ମାର୍ଟ ସ୍କୁଲର ପରିକଳ୍ପନା କରିଛନ୍ତି। ଛାତ୍ର ଛାତ୍ରୀ ମାନେ ନିଜ ସ୍କୁଲରେ ଇଣ୍ଟରନେଟ ବ୍ୟବହାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସ ରୁମରେ ପାଠ ପଢିବେ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିବା ସହ ଉନ୍ନତ ମାନର ଜ୍ଞାନ ମଧ୍ୟ ହାସଲ କରିପାରିବେ। ତେବେ ରାଜ୍ୟ ସରକାରଙ୍କ ଏହି ଅଭିନବ ପରିକଳ୍ପନାକୁ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିଛନ୍ତି।

ଅତୀତରେ ସରକାରୀ ସ୍କୁଲରେ ଅନେକ ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ମାନେ ଭଲଭାବେ ପାଠ ପଢି ପାରୁନଥିବା ଅଭିଯୋଗ ହୋଇ ଆସୁଥିଲା। ଏବେ ସରକାରଙ୍କ ଏହି ସ୍ମାର୍ଟ ସ୍କୁଲ ର ଯୋଜନା ନିଶ୍ଚିତ ଭାବେ ସଫଳ ହେବ ବୋଲି ସମସ୍ତ ଙ୍କ ର ଆଶା ରହିଛି।

Spread the love