ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିବ

ଆସନ୍ତା 18 ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ‌େଶଷ ହେବ। ସନ୍ଧ୍ୟା 6ଟାରେ 5ଟି ଲୋକସଭା ଓ 35ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କାର୍ଯ୍ୟ ସରିବ। ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ଆସନ ସହିତ ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ।

ବଲାଙ୍ଗୀର ଲୋକସଭା ଆସନ ପାଇଁ ମତଦାନ ହେବା ସହ ଏହି ଲୋକସଭା ଆସନରେ ଆସୁଥିବା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମତଦାନ ହେବ। କନ୍ଧମାଳ ଲୋକସଭା ପାଇଁ ଭୋଟଗ୍ରହଣ ହେବା ସହ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ 7ଟାରୁ ଭୋଟ ଗ୍ରହଣ ହେବ। ସେହିପରି ଆସ୍କା ଲୋକସଭା ଆସନ ପାଇଁ ମତଦାନ ହେବା ସହ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଆସନ୍ତା 18ତାରିଖରେ ମତଦାନ ପାଇଁ ଆସନ୍ତାକାଲି ପ୍ରଚାର କାର୍ଯ୍ୟ ଶେଷ ହେବ। ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଚାର ଶେଷ ହେବା ପରଠୁ ଭୋଟ ଗ୍ରହଣ ଦିନ ପର୍ଯ୍ୟନ୍ତ 48 ଘଣ୍ଟାର ନିରବ ଅବଧି ଭିତରେ କୌଣସି ବି ରାଜନେତା ସାମ୍ବାଦିକ ସମ୍ମିଳନୀ କରି ପାରିବେନି। ସେହିପରି କୌଣସି ବି ଗଣମାଧ୍ୟମ ରାଜନେତାଙ୍କ ମତ ଓ ପ୍ରତିକ୍ରିୟାକୁ ପ୍ରକାଶ କିମ୍ବା ପ୍ରସାରଣ କରିପାରିବ ନାହିଁ।

Spread the love