ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ପ୍ରଜେକ୍ଟ ମୌଖିକ ସାକ୍ଷାତ ଆଲୋଚନା ଶେଷ

ସେମିଳିଗୁଡା: ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆଧୁନିକ ଭାରତୀୟ ଏବଂ ଓଡ଼ିଶା ଦାର୍ଶନିକମାନଙ୍କର ଦର୍ଶନ, ଚିନ୍ତା ଏବଂ ବ୍ୟାଖ୍ୟା ଉପରେ ପରିକଳ୍ପନା କରି ଏକ ବିସ୍ତୃତ ଏବଂ ସଠିକ୍ ନିବନ୍ଧ ଉପସ୍ଥାପନା କରିଛନ୍ତି । ଭାରତୀୟ ଦାର୍ଶନିକମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ଡ.ବି. ଆର . ଆମ୍ବେଦକର, ସୁଭାଷ ଚନ୍ଦ୍ର ବୋଷଙ୍କ ଦର୍ଶନ ଚିନ୍ତା ଏବଂ ଆଧୁନିକ ଓଡ଼ିଶାର ସହିଦ ଲକ୍ଷ୍ମଣ ନାୟକ, ଉତ୍କଳଗୌରବ ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦର୍ଶନ ଚିନ୍ତାକୁ ଅନୁଧ୍ୟାନ କରି ଆଧୁନିକ ଭାରତ ଏବଂ ଓଡ଼ିଶାର ରାଷ୍ଟ୍ରନିର୍ମାଣରେ ପରିକଳ୍ପନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସମସ୍ୟା ବିଜଡିତ ଘଟଣା ପ୍ରବାହକୁ ଆଧାର କରି ସାଂପ୍ରତିକ ପରିସ୍ଥିତିରେ ଏକ ସୁସ୍ଥ, ସୁଦୃଢ଼ ଭାରତ ଗଠନ କ୍ଷେତ୍ରରେ ଆଧୁନିକତା ପ୍ରତିପାଦନ କରିବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ମହାତ୍ମାଗାନ୍ଧୀଙ୍କର ଅହିଂସାନୀତି, ସ୍ୱରାଜ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଭାରତଛାଡ ଆନ୍ଦୋଳନ ଏବଂ ଅସ୍ପୃଶ୍ୟତା ନିରାକରଣ ଅଭିଯାନ ଭାରତୀୟମାନଙ୍କ ମନରେ ଜାତୀୟତାବାଦ ସୃଷ୍ଟି କରିବା ସହିତ ଭାରତୀୟମାନଙ୍କୁ ଏକତ୍ରିତ କରି ସ୍ୱଦେଶୀ ବ୍ୟବହାରକୁ ଅଗ୍ରଗତି ଏବଂ ଲୋକାଭିମୁଖୀ କରିବା କ୍ଷେତ୍ରରେ ଗାନ୍ଧୀଙ୍କର ଦର୍ଶନଚିନ୍ତା କିଭଳି ସାଂପ୍ରତିକ ପରିସ୍ଥିିତିରେ ପ୍ରାସଙ୍ଗିକତା ରହିଛି ତାହା ଉପର ବ୍ୟାଖା କରାଯାଇଥିଲା । ଆଧୁନିକ ଭାରତର ନିର୍ମାତା ଜବାହାରଲାଲ ନେହେରୁଙ୍କର ଗଣତନ୍ତ୍ରର ପ୍ରତିଷ୍ଠା, ପଂଚବାର୍ଷିକ ଯୋଜନା କିଭଳି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଗଣିତ କରିଥିଲା ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଡ. ବି.ଆର. ଆମ୍ବେଦକରଙ୍କ ଅସ୍ପୃଶ୍ୟତା ନିରାକରଣ ଆନ୍ଦୋଳନ, ସଂରକ୍ଷଣ ବ୍ୟବସ୍ଥା, ସମ୍ବିଧାନର ନିର୍ମାଣ କ୍ଷେତ୍ରରେ ଅବଦାନକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । କ୍ରାନ୍ତିକାରୀ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ୟାଗ, ବୀରତା, ଆଜାଦ୍ ହିନ୍ଦ ଫୌଜ ଗଠନ, ଭାରତୀୟ ଜାତୀୟ ସେନା ଏବଂ ଭାରତୀୟ ଜାତୀୟ କଂଗ୍ରେସର ଅନୁଦାନକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଠିକ୍ ସେହିଭଳି ଭାବରେ ସହିଦ୍ ଲକ୍ଷ୍ମଣ ନାୟକଙ୍କର ବୀରତ୍ୱ ଆଦିବାସୀମାନଙ୍କୁ ଏକତ୍ରିତ କରି ଜମିଦାର ଏବଂ ବ୍ରିଟିସ୍ ଶାସନ ବିରୋଧରେ ସଂଗ୍ରାମ ଏବଂ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ନିଜକୁ ମୁକ୍ତି ସଂଗ୍ରାମରେ ଝାସଦେବା ଉପରେ ଆଲୋଚନା କରାଯାଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଉତ୍କଳ ସମ୍ମିଳନୀର ଗଠନ, ସ୍ୱଦେଶୀ ବ୍ୟବହାର ଏବଂ ଓଡ଼ିଶାର ସ୍ୱାଭିମାନ ତଥା ଅସ୍ମିତାକୁ ନେଇ ସ୍ୱତନ୍ତ୍ର ଉତ୍କଳପ୍ରଦେଶର ଗଠନ ଉପରେ ଆଲୋକପାତ ହୋଇଥିଲା । ଗୋପବନ୍ଧୁ ଦାସଙ୍କର ଜାତୀୟତାବାଦ, ମାନବିକତା ତଥା ଓଡ଼ିଶା ଗଠନ କ୍ଷେତ୍ରରେ ଅବଦାନକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରଧ୍ୟାପକ ଡ. ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ପରିକଳ୍ପନାକୁ ପରୀକ୍ଷା କରିବା ସହିତ ମୌଖିକ ସାକ୍ଷାତ ଆଲୋଚନା କରିଥିଲେ ।
ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପିକା ଡ.ଝାନସୀ ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେବା ସହିତ ଭବିଷ୍ୟତ ଜୀବନରେ ଏହି ମହାପୁରୁଷମାନଙ୍କର ଅବଦାନକୁ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଅଧ୍ୟାପିକା ଡ.ଗୀତା ପଟ୍ଟନାୟକ, ଅଧ୍ୟାପକ ପ୍ରବୋଧ କୁମାର ମଲ୍ଳିକ ଏବଂ ନିରଞ୍ଜନ ପୁୁଢ଼ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାହାଯ୍ୟ କରିବା ସହିତ ମୌଖିକ ସାକ୍ଷାତକାର ଏବଂ ପରିକଳ୍ପନା ଉପରେ ବିଶେଷ ଗୁରୁତ୍ୱ ଆଲୋଚନା କରିଥିଲେ ।
ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆଧୁନିକ ଭାରତର ଦାର୍ଶନିକମାନଙ୍କ ଉପରେ ନିବନ୍ଧ ପ୍ରସ୍ତୁତ କରି ଉପସ୍ଥାପନା କରିଥିଲେ ।

Spread the love