ସେନାକୁ ଆଲର୍ଟ କଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ, କହିଲେ- ଆଗାମୀ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, ଭର୍ତ୍ତି ହେଲେ ୩ ଲକ୍ଷ ଯବାନ

ନୂଆଦିଲ୍ଲୀ ୩୦।୧୧: ସଂପ୍ରତି ଚୀନ ନିଜର ବିସ୍ତାରବାଦୀ ନୀତି ପାଇଁ ହୀନ କାର୍ଯ୍ୟ କରାଇବାକୁ ପଛଉ ନାହିଁ। ଅନେକ ଦେଶ ଏବେ ଚୀନ ପ୍ରତି ବ୍ୟତିବ୍ୟସ୍ତ ହୋଇ ଉଠିଲେଣି। ଏମିତିରେ ସମୟ ଆସି ଯାଇଛି ଯେ ଚୀନକୁ ନେଇ ଦୁନିଆ କୌଣସି ବଡ ପଦକ୍ଷେପ ନେବାକୁ ବାଧ୍ୟ ହୋଇପାରେ। କାରଣ ଅନ୍ୟ ଦେଶକୁ ହଡପ କରିବାରେ ଡ୍ରାଗନ ଭୋକ ଦିନକୁ ଦିନ ବଢିବାରେ ଲାଗିଛି। ଏଥିପାଇଁ ନିଜ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସି ଜିନପିଙ୍ଗ। ଆଗାମୀ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି.

ତାଇଓ୍ଵାନକୁ ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଚଳାଇଥିବା ଡ୍ରାଗନ  ଏବେ ଦୁନିଆର ଗରିବ ଲୋକଙ୍କୁ ନିଜର ଋଣଜାଲରେ ଫସାଇବାରେ ଜୁଟି ଯାଇଛି। ଏଥିସହ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ସେନାକୁ ଆହୁରି ଆଧୁନିକିକରଣ କରିବା ଆରମ୍ଭ କରି ଦେଇଛନ୍ତି। ଭବିଷ୍ୟତର ଯୁଦ୍ଧକୁ ଦୃଷ୍ଟିରେ ରଖି ଆବଶ୍ୟକ ଅନୁଯାୟୀ ସେନାରେ ଭର୍ତ୍ତି କରିବାକୁ ରାଷ୍ଟ୍ରପତି ଜିନପିଙ୍ଗ ଘୋଷଣା କରିଛନ୍ତି।

ତାଙ୍କର ଏହି ବୟାନ ଏମିତି ସମୟରେ ଆସିଛି, ଯେଉଁ ସମୟରେ ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଛି ଯେ,  ଚୀନ ସରକାର ସେନାରେ ତିନି ଲକ୍ଷ ନିଯୁକ୍ତି ଦେବାକୁ ବଜେଟ୍ ଘୋଷଣା କରିଛି। ଜିନପିଙ୍ଗ କହିଛନ୍ତି, ଏହି ନୂତନ ପ୍ରତିଭା ଚୀନର ସଶସ୍ତ୍ର ବଳକୁ ବିକଶିତ କରିବା, ସୈନ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ଏବଂ ଭବିଷ୍ୟତର ଯୁଦ୍ଧ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସଂପ୍ରତି ଚୀନ ନିଜ ସେନାକୁ ଦ୍ରୁତ ଗତିରେ ଆଧୁନିକୀକରଣରେ ଜୋର ଦେଉଛି। ଏଥିସହ ୨୦୯ ବିଲିୟନ ଡଲାରର ପ୍ରତିରକ୍ଷା ବଜେଟ୍ ଘୋଷଣା କରିଛି। ହାଇପରସୋନିକ ହତିଆର ସହିତ ଅନେକ ମାରଣାସ୍ତ୍ର ପ୍ରଣାଳୀକୁ ସେନାରେ ଯୋଡିଛି। ଆମେରିକା ସେନା ଅନୁଯାୟୀ, ଚୀନ ନିକଟରେ ଏକ ଦୂରଗାମୀ  ମିସାଇଲ ଲଞ୍ଚ କରିଛି, ଯାହା ପୂରା ଦୁନିଆକୁ ଚକ୍କର ମାରିଥିଲା। ଏହି ପରୀକ୍ଷଣରେ ହାଇପରସୋନିକ ମିସାଇଲ ନିଜର ଟାର୍ଗେଟ୍ ଧ୍ଵଂସ କରିବାରେ ବହୁତ  ନିକଟତର ହୋଇଥିଲା।

ପଡୋଶୀ ଦେଶକୁ ପ୍ରଥମେ ଋଣ ଜାଲରେ ବୁଡାଅ, ପୁଣି ପରିଶୋଧ ନହେଲେ ଉକ୍ତ ଦେଶକୁ ହଡପ କର। ଏବେ ଏହି ଯୋଜନା ଏବଂ ରଣନୀତି ସହ ଚୀନ ଆଗକୁ ପଡୁଛି। ଏହି ଅନୁରୂପ ନିଜ ସେନାକୁ ମଧ୍ୟ ଶକ୍ତିଶାଳୀ କରିବାରେ ଜୁଟି ଯାଇଛି ଡ୍ରାଗନ।

Spread the love