ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: କରୋନାରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି। ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଫୁୁସଫୁସରେ ସଂକ୍ରମଣ ହେବାରୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରୁ ଏକମୋ ଚିକିତ୍ସା ପାଇଁ କୋଲକାତା ପଠା ଯାଇଥିଲାବେଳେ ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ଘଟିଛ।  ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

ସୂଚନାଯୋଗ୍ୟ, ଜୁନ୍ ୮ ତାରିଖ ଦିନ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର  ପାଣିଗ୍ରାହୀ ବାଲେଶ୍ବର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ବର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ । ପରେ ଡିଆଇଜି, ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଦେବାଶିଷ ଜେଏନ୍‌ୟୁରେ ଏମଫିଲ୍ କରିଥିଲେ । ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ। ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ।

ଦେବାଶିଷ ପାଣିଗ୍ରାହୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ। ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ତଥାକଥିତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ  ଭାବେ ଯୋଗ ଦେଇଥିଲେ। ସେହିପରି ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି ।

Spread the love