ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ସେବା ସପ୍ତାହ – ବିଜେପି

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ତଥା ଗରୀବ, ବଂଚିତ, ଦଳିତ, ଆଦିବାସୀ ଏବଂ କୃଷକମାନଙ୍କର ତ୍ରାଣକର୍ତା ରୂପେ କାର୍ଯ୍ୟ କରୁଥିବା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆସନ୍ତା ୧୭ ତାରିଖ ଦିନ ଜନ୍ମଦିବସ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଏହିସେବା ସପ୍ତାହରେ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟମାନ କରି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଥାନ୍ତି। ଚଳିତବର୍ଷ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମ ଦିବସ ହୋଇଥିବା କାରଣରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସମଗ୍ର ଦେଶରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ ଅନୁଷ୍ଠିତ ହେବ।
ସେବା ସପ୍ତାହର ପ୍ରଥମଦିନ ଆସନ୍ତା ୧୪ ତାରିଖରେ କାର୍ଯ୍ୟକର୍ତାମାନେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିବା ସହ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସଂକଳ୍ପ ନେବେ । ଦ୍ୱତୀୟ ଦିନ ୧୫ ତାରିଖରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୭୦ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ଉପକରଣ ଏବଂ ୭୦ ଜଣ ଗରୀବ ଭାଇଭଉଣୀଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ପ୍ରଦାନ କରାଯିବ। ଏଥିସହ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କଲ୍ୟାଣମୁଳକ କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ୱ ସମ୍ବନ୍ଧୀତ ୭୦ଟି ଭିନ୍ନ ଭିନ୍ନ ଭିଡିଓ / ଫଟୋଚିତ୍ର ପ୍ରଦର୍ଶନୀ ସୋସିଆଲ ମିଡିଆ ମାଧ୍ୟମରେ ଅନୁଷ୍ଠିତ ହେବ।
ତୃତୀୟ ଦିନ ଅର୍ଥାତ ୧୬ ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳର ୨ ଟି ଗରୀବ ବସ୍ତି ଓ ଡାକ୍ତରଖାନାରେ ଫଳ ବିତରଣ କରାଯିବ। ଚତୁର୍ଥ ଦିନ ୧୭ ତାରିଖରେ ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ରକ୍ତଦାନ କରାଯିବ। ଏଥିସହ ସ୍ଥାନୀୟ ଆବଶ୍ୟକତା ଓ ଡାକ୍ତରଖାନା ମାଧ୍ୟମରେ ୭୦ ଜଣଙ୍କୁ ପ୍ଲାଜମା ଦାନ କରାଯିବ। ୧୮ ଓ ୧୯ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇ ୱେବିନାର ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ୨ଟି ସ୍ଥାନରେ ଭର୍ଚୁଆଲ ମିଟିଂର ଆୟୋଜନ କରାଯିବ। ଏହି ମିଟିଂରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ନାଗରିକମାନେ ଯୋଗଦାନ କରିବେ।
ଶେଷଦିନ ଅର୍ଥାତ ୨୦ ତାରିଖଦିନ ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମରେ ସ୍ୱଚ୍ଛତା ଅଭିଯାନ କରାଯିବା ସହ ଥରକା ବ୍ୟବହୃତ ପ୍ଲାଷ୍ଟିକ (ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ) ବର୍ଜନ ପାଇଁ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ। ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ପାର୍ଟୀର ସମସ୍ତ ପଦାଧିକାରୀ ଓ  କାର୍ଯ୍ୟକର୍ତାମାନେ କୋଭିଡ୍‌-୧୯ ନୀତିନିୟମକୁମାନି ଭାଗ ନେବାକୁ ରାଜ୍ୟ ସଭାପତି  ସମୀର ମହାନ୍ତି ଅନୁରୋଧ କରିଛନ୍ତି ।

Spread the love