ଡେଡଲାଇନ ସରିବା ପରେ ଆସ୍କନ ନେଲା ସେସୁ, ଖୋର୍ଦ୍ଧାରୁ ବିଦ୍ୟୁତ୍ କାଟ ଆରମ୍ଭ

ବିଦ୍ୟୁତ କାଟ ପାଇଁ  ସେସୁ ଦେଇଥିବା ଡେଡଲାଇନ ଆଜି ସରିଛି। ଖୋର୍ଦ୍ଧା ଅଞ୍ଚଳରୁ ଲାଇନ କାଟିବା ଆରମ୍ଭ କରିଛି ସେସୁ । ଖୋର୍ଦ୍ଧାରେ ବିଦ୍ୟୁତ ବିଲ୍ ପୈଠ କରିନଥିବା  53ଟି କମର୍ସିଆଲ ସଂସ୍ଥାରୁ ବିଦ୍ୟୁତ୍ ବିଚ୍ଛିନ୍ନ  କରିଥବା ଜଣାପଡିଛି।  ସେସୁ ପକ୍ଷରୁ ନିୟୋଜିତ ଥିବା 39ଟି ସ୍କ୍ୱାର୍ଡ଼ ଦ୍ୱାରା ଆଜି ଖୋର୍ଦ୍ଧାରୁ ଚାଲିଛି ଲାଇନ କାଟ୍ । ପ୍ରକାଶ ଥାଉକି, ବିଦ୍ୟୁତ ବକେୟା ପୈଠ କରିବାର ପାଇଁ 15 ତାରିଖ ଯାଏଁ ସମୟ ଦେଇଥିଲା ସେସୁ ।  ବିଲ୍ ଦେଉ ନଥିବା ଗାଁରେ ବିଦ୍ୟୁତ୍ କାଟ ହେବା ନେଇ ପୂର୍ବରୁ  ସେସୁ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ପ୍ରଥମେ ବକେୟା ରଖିଥିବା କମର୍ସିଆଲ ସଂସ୍ଥାର ଲାଇନ୍ କଟାଯିବ ବୋଲି ସେସୁ ସୂଚନା ଜାରି କରିଥିଲା । 2 ୟ ପର୍ଯ୍ୟାୟରେ ଅଧିକ ବକେୟା ରଖିଥିବା ଘରୋଇ ଉପଭୋକ୍ତାଙ୍କୁ ଟାର୍ଗେଟ କରାଯିବ।

ଏହା ସହ ବକେୟା ରଖିଥିବା ବିତ୍ତଶାଳୀ ଘରୋଇ ଉପଭୋକ୍ତାଙ୍କ ପାଳି ପଡିବ। କେବଳ ସେତିକି ନୁହେଁ ଆୟକର ଦେଉଥିବା ସତ୍ତ୍ଵେ ବିଦ୍ୟୁତ୍ ବିଲ୍ ଦେଉନଥିବା ଲୋକଙ୍କ ଲାଇନ୍ ମଧ୍ୟ କଟିବ। 3 ୟ ପର୍ଯ୍ୟାୟରେ ଅନ୍ୟ ସମସ୍ତଙ୍କର ବକେୟା ଉପଭୋକ୍ତାଙ୍କ ଲାଇନ୍ କଟିବ। ବର୍ଷବର୍ଷ ଧରି ବାକି ରଖିଥିବା ଉପଭୋକ୍ତାଙ୍କୁ 3 ୟ ପର୍ଯ୍ୟାୟରେ ଟାର୍ଗେଟ୍ କରାଯିବ ବୋଲି ସୂଚନା ମିଳିଛି।  ଏଯାବତ ବକେୟା ରଖିଥିବା 7 ଲକ୍ଷ ଗ୍ରାହକଙ୍କ ମଧ୍ୟରୁ 1.10 ଲକ୍ଷ ଗ୍ରାହକ ପୈଠ କରିଛନ୍ତି । ବକେୟା ଥିବା 1971 କୋଟିରୁ ମାତ୍ର 21 କୋଟି ଟଙ୍କା ଆଦାୟ ହୋଇଛି । ବିଦ୍ୟୁତ କାଟିବାକୁ 11, 397ଗାଁକୁ ଚିହ୍ନଟ କରାଯାଇଛି । ବିଦ୍ୟୁତ କାଟିବାକୁ 413 ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କରାଯାଇଛି ।

Spread the love