ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଲ; ଯାତ୍ରୀଙ୍କୁ ଦେଲେ ନୂଆ ଜୀବନ

ଯାଜପୁର ରୋଡ଼ ୦୮/୧୧: ଜୀବନ ବଞ୍ଚାଇଲେ ଆରପିଏଫ କନଷ୍ଟେବଳ। ଦେବଦୂତ ସାଜି ଯାତ୍ରୀଙ୍କୁ ମରଣମୁହଁରୁ ଟାଣି ଆଣିଲେ କନଷ୍ଟେବଳ ଲାଲବିହାରୀ ରାମ। କନଷ୍ଟେବଳଙ୍କ ସାହାସିକତା ପାଇଁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଯାଜପୁରରୋଡ଼ ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।  ଖବର ଅନୁସାରେ ଧଉଳି ଏକ୍ସପ୍ରେସ ଦିନ ୨.୩୮ ମିନିଟରେ ଯାଜପୁର ରୋଡ଼ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ରହିଥିଲା। ଏହାପରେ ପ୍ରାୟ ଅପରାହ୍ଣ ୨ଟା ୪୫ରେ ଟ୍ରେନ ଷ୍ଟେସନ୍‌ ଛାଡ଼ିଥିଲା। ଟ୍ରେନଟି ବେଗ ବଢ଼ିବା ବେଳେ ଜଣେ ଯୁବକ ହ୍ୟାଣ୍ଡେଲ ଧରି ଟ୍ରେନ୍‌ ଭିରତକୁ ଯିବାକୁ ଚେଷ୍ଟା କରୁଥିଲେ।

ମାତ୍ର ଟ୍ରେନଟି ଦ୍ରୁତ ଗତିରେ ଥିବାରୁ ଯୁବକଙ୍କ ପାଦ ଖସି ଯାଇଥିଲା। ଯୁବକଙ୍କ ପାଦ ଖସି ଯିବାରୁ ସେ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଫସି ଯାଇଥିଲେ। ଏହି ସମୟରେ ଆରପିଏଫ କନେଷ୍ଟବଳ ଲାଲବିହାରୀ ରାମ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଯୁବକଙ୍କୁ ବଞ୍ଚାଇବାକୁ ସେ ନିଜେ ଦୌଡ଼ିବା ସହ ଟ୍ରେନ ଅଟକାଇବା ପାଇଁ ବଡ଼ ପାଟିରେ ରେଳ କର୍ମଚାରୀଙ୍କୁ ମଧ୍ୟ କହିଥିଲେ। ଆରପିଏଫ ଯବାନଙ୍କ ଉଦ୍ୟମରେ ଏହି ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ପରିଚୟ ରଗଡି ଅଞ୍ଚଳର ସାଗର କୁମାର ପାତ୍ର ବୋଲି ଜଣାପଡ଼ିଛି। ନିଶ୍ଚିତ ମରଣମୁହଁରୁ ବଞ୍ଚାଇଥିବା ଆରପିଏଫ କନଷ୍ଟେବଳଙ୍କୁ ସାଗର କୃତଜ୍ଞତା ଜଣାଇଛନ୍ତି ।  ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ନିଜ ଘରକୁ ଫେରିଥିବା ଯାଜପୁର ରୋଡ଼ ଆରପିଏଫ ଆଇଆଇସି କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣାଟି ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

Spread the love