ବିଦ୍ୟାଳୟରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଅଟକ

ରାଇଘର: ବିଦ୍ୟାଳୟରେ ଷଷ୍ଠ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ଆଜି ରାତିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ପାଶବିକ ଘଟଣା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ରହିଥିବା ସୂଚନା ମିଳିଛି। ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି। ପୀଡ଼ିତାଙ୍କ ବାପା ଆଜି ଅପରାହ୍ନରେ ଏତଲା ଦେବାରୁ କୁନ୍ଦେଇ ଥାନା ପୁଲିସ ତନାଘନା ଜାରି ରଖିଛି। ପ୍ରାଥମିକ ସୂଚନା ଅନୁସାରେ, ଦୁଇ ଦିନ ତଳେ (୭ତାରିଖ) ପୀଡ଼ିତାଙ୍କ ସହ ଦୁଇ ଶିକ୍ଷକ ଦୁଷ୍କର୍ମ କରିଥିଲେ। ଲୋକଲଜ୍ଜା ସହ ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲରେ ହୋଇଥିବା ଅତ୍ୟାଚାର ସଂପର୍କରେ ଘରେ କାହାକୁ କିଛି କହିନଥିଲେ। ତେବେ ଗତକାଲି ସକାଳେ ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ଦୁଷ୍କର୍ମ ସଂପର୍କରେ ଆଦୌ ମୁହଁ ଖୋଲି ନଥିଲେ। ତେଣୁ ପରିବାର ଲୋକ ଡାକ୍ତରଖାନାକୁ ନେଇ କିଛି ପେନ୍‌ କିଲର ଆଣି ଖାଇବାକୁ ଦେଇଥିଲେ। ଆଜି ସକାଳେ ପୁଣି ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନିଆଯାଇଥିଲା। ପେନ୍‌ କିଲର୍‌ ଖାଇବା ସତ୍ତ୍ବେ ଯନ୍ତ୍ରଣା କମିନଥିବାରୁ କାର୍ଯ୍ୟରତ ନର୍ସଙ୍କ ସନ୍ଦେହ ହୋଇଥିଲା। ଏକୁଟିଆ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବାରୁ ବହୁ କଷ୍ଟରେ ଦୁଷ୍କର୍ମ ହୋଇଥିବା ପ୍ରକାଶ କରିଥିଲେ। ତୁରନ୍ତ ଏ ବିଷୟରେ ଡାକ୍ତରଙ୍କୁ ଅବଗତ କରାଯିବା ସହ କୁନ୍ଦେଇ ପୁଲିସକୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା।

ଅପରାହ୍ନରେ ପୀଡ଼ିତାଙ୍କୁ ନେଇ ପରିବାର ଲୋକ କୁନ୍ଦେଇ ଥାନାରେ ପହଞ୍ଚିଥିଲେ। ଲିଖିତ ଏତଲା ଦେବାରୁ ପୁଲିସ ଅଭିଯୋଗକୁ ରଖି ଦୁଇ
ଶିକ୍ଷକଙ୍କୁ ଥାନାକୁ ଡକାଇ ଅଟକ ରଖିଛି। ପରବର୍ତ୍ତୀ ସମୟରେ ପୀଡ଼ତାଙ୍କୁ ଚିକିତ୍ସା ନିମନ୍ତେ ଉମରକୋଟ ଡାକ୍ତରଖାନାକୁ ପଠାଯାଇଥିଲା। ରାତି ପ୍ରାୟ ୮ଟାରେ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଘଟଣା ସଂକ୍ରାନ୍ତରେ ପୀଡ଼ିତାଙ୍କ ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଆଦୌ ମୁହଁ ଖୋଲୁନାହାନ୍ତି। ଶେଷ ଖବର ସୁଦ୍ଧା କୁନ୍ଦେଇ ଥାନା ଆଇଆଇସି ଏବଂ ହାଟଭରଣ୍ଡି ଡାକ୍ତରଖାନା ଚିକିତ୍ସାଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଉଭୟଙ୍କୁ ନବରଙ୍ଗପୁର ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ସେହିପରି ଅଭିଯୋଗ ଆଧାରରେ ପକ୍ସୋ ଆଇନରେ ଦୁଷ୍କର୍ମ ମାମଲା କରାଯାଇଛି। ତଦନ୍ତରୁ ଠୋସ୍‌ ପ୍ରମାଣ ମିଳିଲେ ଦୁଇ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଛି।

Spread the love