ଗୌରୀଙ୍କୁ ହସ୍ପିଟାଲ୍‌ ବେଡ୍‌ରେ ଦେଖି ଡରି ଯାଇଥିଲେ ଶାହାରୁଖ୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ତାଙ୍କ ଡିଜାଇନର୍‌ ପତ୍ନୀ ଗୌରୀଙ୍କ ପ୍ରେମ କାହାଣୀ କାହାକୁ ବି ଅଛପା ନାହିଁ। ନିଜ ପତ୍ନୀଙ୍କୁ ନେଇ ଶାହାରୁଖ୍‌ ସବୁବେଳେ ଯତ୍ନବାନ ଥିବା କଥା ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଜଣା। ଶାହାରୁଖଙ୍କୁ ଜଣେ ‘ଫ୍ୟାମିଲି ମ୍ୟାନ୍‌’ ବୋଲି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ସେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ସବୁବେଳେ ନିଜର ସ୍ବତନ୍ତ୍ର ସମୟ ବିତାଉଥିବାର ନଜର ଅ‌ାସିଥାନ୍ତି।

ଶାହାରୁଖ୍‌ ସବୁ କ୍ଷେତ୍ରରେ ଜଣେ ନିଖୁଣ ବ୍ୟକ୍ତିତ୍ବ। କେବଳ ଫିଲ୍ମ ନୁହେଁ, ବ୍ୟକ୍ତିଗତ ଜୀବନରେ ବି ସେ କୌଣସି ବିବାଦୀୟ ବ୍ୟାପାରରେ ଜଡ଼ିତ ହୋଇନାହାନ୍ତି । ଏକଥା ସମସ୍ତେ ଜାଣନ୍ତି ଯେ ଶାହାରୁଖଙ୍କ ଜୀବନରେ ପତ୍ନୀ ଗୌରୀ ହିଁ ସବୁକିଛି। ସେ କେବଳ ଗୌରୀଙ୍କୁ ପ୍ରେମ କରିନଥିଲେ, ବରଂ ପ୍ରେମ ବିବାହ ପରେ ଏକ ସୁଖୀ ବୈବାହିକ ଜୀବନର ସବୁବେ‌‌ଳେ ଉଦାହାରଣ ବନି ଆସିଛନ୍ତି।
ତେବେ ଶୁଣିବାକୁ ମିଳୁଛି ଯେ ଏପରି ଏକ ସମୟ ଥିଲା, ଯେବେ ଶାହାରୁଖଙ୍କୁ ପତ୍ନୀ ଗୌରୀଙ୍କୁ ହରାଇ ଦେବାର ଭୟ ଘାରିଥିଲା। ଆମେ କହୁଛୁ, ଗୌରୀଙ୍କ ପ୍ରଥମ ପ୍ରସବ ସମୟର କଥ‌ା। ‌ଶାହାରୁଖ୍‌ ୧୯୯୮ ମସିହାରେ ଦେଇଥିବା ଏକ ସାକ୍ଷାତ୍‌କାରରେ ଏ ସଂପର୍କରେ କହିଥି‌ଲେ। ତାଙ୍କ ବଡ଼ ପୁଅ ଆର୍ଯ୍ୟନଙ୍କୁ ଜନ୍ମ ଦେବା ବେଳେ ଗୌରୀ ଅପରେସନ୍‌ ଥିଏଟର୍‌ରେ ଥିବା ବେଳେ ଶାହାରୁଖ୍‌ଙ୍କୁ ଲାଗୁଥିଲା ଯେମିତି ସେ ଆଉ ବଞ୍ଚିବେ ନାହିଁ।

ଶାହାରୁଖ୍‌ ନିଜ ବାପାମାଆଙ୍କୁ ବି ହସ୍ପିଟାଲ୍‌ରେ ହିଁ ହରାଇଥିଲେ। ସେହି କାରଣରୁ ସେ ନିଜର କୌଣସି ବି ସଂପର୍କୀୟଙ୍କ ହସ୍ପିଟାଲ୍‌ରେ ଦେଖିଲେ ଭୟ କରିଯାଆନ୍ତି। ଓଟିରେ ଗୌରୀ ଥିବା ବେଳେ କିଙ୍ଗ୍‌ ଖାନ୍‌ ପିଲା ବିଷୟରେ ଭାବିନଥିଲେ, ବରଂ ‌ସେ ସମୟରେ ତାଙ୍କ ପାଇଁ ତାଙ୍କ ପତ୍ନୀ ହିଁ ଜରୁରି ଥିଲେ ବୋଲି ସେ କହିଥିଲେ।

Spread the love