ଶାରଦୀୟ ଦୁର୍ଗାପୂଜାର ବିବିଧ ବିଧାନ, ନିଜର ସକ୍ଷମତା ଅନୁସାରେ ଦେବୀଙ୍କୁ ପୂଜା କରାଯାଇପାରିବ
ଶାରଦୀୟ’ ବା ଶରତ୍କାଳୀନ ଦୁର୍ଗାପୂଜାର ବିବିଧ ବିଧାନ ରହିଛି। ନିଜ ନିଜର ସକ୍ଷମତା ଅନୁସାରେ, କିଏ କେତେଦିନ ଧରି ଏହି ଦେବୀଙ୍କୁ ପୂଜା କରିପାରିବେ, ସେଥିନିମନ୍ତେ ଏହି ବିଧାନ ପ୍ରଣୀତ ହୋଇଛି। ସେହି ଅନୁସାରେ ଦୁର୍ଗାପୂଜା ଛଅ ପ୍ରକାରର। ତାହା ହେଉଛି- ଷୋହଳଦିନ, ନଅଦିନ, ପାଞ୍ଚଦିନ, ତିନିଦିନ, ଦୁଇଦିନ ଏବଂ ମାତ୍ର ଗୋଟିଏ ଦିନରେ ହେଉଥିବା ଦୁର୍ଗାପୂଜା।
ମହାଭାରତ’ରେ ରାଜା ଯୁଧିଷ୍ଠିରଙ୍କୁ ଶରଶଯ୍ୟାଶାୟୀ ଭୀଷ୍ମ ଦୁର୍ଗାପୂଜାର ବିଧାନ କଥା କହିଛନ୍ତି। ସେ କହିଛନ୍ତି- ହେ ଯୁଧିଷ୍ଠିର! ଏହିପରି ଭାବରେ ପ୍ରତିବର୍ଷ ଦେବୀ ଦୁର୍ଗାଙ୍କର ପୂଜା କରିବ। ସମସ୍ତ କାମନାର ସିଦ୍ଧିପାଇଁ ଏହି କର୍ମ ଦୁର୍ଲଭ ରୂପେ କଥିତ ହୁଏ।
ବିଧାନ ଅନୁସାରେ, ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ‘ମୂଳାଷ୍ଟମୀ’ଠାରୁ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ବା ‘ମହାଷ୍ଟମୀ’ ହେଉଛି ଷୋଡ଼ଶ ଦିନବ୍ୟାପୀ ଶାରଦୀୟ ଦୁର୍ଗାପୂଜାର ପ୍ରକୃଷ୍ଟ ସମୟ। ଏହି ସମୟରେ ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ।
ଏହା ପରେ ରହିଛି ‘ନବରାତ୍ର ବିଧାନ’ ବା ନଅଦିନ ବ୍ୟାପୀ ଦୁର୍ଗାପୂଜା। ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ଏହି ପୂଜା କରାଯାଏ। ବିଧି ଅନୁସାରେ ରାତିରେ ଏହି ପୂଜା କରାଯାଉ ଥିବାରୁ ଏହାକୁ ‘ନବରାତ୍ରି’ କୁହାଯାଏ। ପୂର୍ବେ ଋଷିମାନେ ହବିଷ୍ୟାନ୍ନ ଭୋଜନ କରି ଏହି ଦୁର୍ଗାବ୍ରତ କରିଥିଲେ ବୋଲି ଶାସ୍ତ୍ର, ପୁରାଣରେ ଉଲ୍ଳେଖ ଅଛି।
ଷୋଡ଼ଶ ଦିନବ୍ୟାପୀ ଓ ନବଦିନବ୍ୟାପୀ ଦୁର୍ଗାପୂଜା ପରେ ରହିଛି ପାଞ୍ଚଦିନବ୍ୟାପୀ ଦୁର୍ଗାପୂଜାର ବିଧାନ। ଆଶ୍ୱିନ ଶୁକ୍ଳ ପଞ୍ଚମୀଠାରୁ ନବମୀ ପର୍ଯ୍ୟନ୍ତ ଏହି ପୂଜା କରାଯାଇଥାଏ। ଏହା ପରେ ଅଛି ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଦୁର୍ଗା ପୂଜା। ତା’ପରେ ରହିଛି ଦୁଇଦିନ ବ୍ୟାପୀ ଦୁର୍ଗାପୂଜାର ବିଧାନ। ଏଥିରେ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଓ ନବମୀ ଦୁଇ ଦିନ ପୂଜା କରାଯାଏ। ଶେଷ ବିଧାନରେ, ଆଶ୍ୱିନ ଶୁକ୍ଳ ନବମୀ ଦିନ ଏକଦିବସୀୟ ଦୁର୍ଗାପୂଜା କରାଯାଇଥାଏ।
ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ଯେଉଁମାନେ ୧୬ ଦିନ, ୯ ଦିନ, ୫ ଦିନ ବା ୩ଦିନ ବ୍ୟାପୀ ଦୁର୍ଗାପୂଜା କରିବାକୁ ସକ୍ଷମ ନୁହନ୍ତି, ସେମାନେ ଦୁଇଦିନ ବା ଦିନେ ଦୁର୍ଗାପୂଜା କଲେ କ’ଣ ବାଂଛିତ ଫଳ ପାଇପାରନ୍ତି?
ଏ ସଂପର୍କରେ ଶାସ୍ତ୍ରରେ ଉଲ୍ଲେଖ ଅଛି- ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଓ ନବମୀ ଦୁଇଦିନ ଦୁର୍ଗାପୂଜା କଲେ, ଏହି ପୂଜା କରୁଥିବା ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୁଏ। ସେହିପରି ମଧ୍ୟ ଉଲ୍ଲେଖ ଅଛି- କେବଳ ଆଶ୍ୱିନ ଶୁକ୍ଳ ନବମୀ ଦିନ ଦୁର୍ଗାପୂଜା କରୁଥିବା ବ୍ୟକ୍ତି ସକଳ କାର୍ଯ୍ୟରେ ସିଦ୍ଧିଲାଭ କରନ୍ତି।