ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ

ମହାଳୟା ଅମାବାସ୍ୟା ସହ  ସମାପ୍ତ ହେବ ପିତୃପକ୍ଷ, ଆରମ୍ଭ ହେବ ନବରାତ୍ର। ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା  ୨୬ ସେପ୍ଟେମ୍ବର ସୋମବାର ଦିନ ନବରାତ୍ରି ପ୍ରାରମ୍ଭ ହେବ ଯାହା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ନବରାତ୍ରରେ ମା ଦୁର୍ଗାଙ୍କ ନଅ ସ୍ୱରୂପଙ୍କ ପୂଜା ଆରାଧନା କରାଯାଏ। ନବରାତ୍ରରେ ଦୁର୍ଗାଙ୍କ ପୂଜା ମନୋବାଞ୍ଛିତ ଫଳ ପ୍ରଦାନ କରିଥାଏ। ଜୀବନର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ। ଚଳିତବର୍ଷ ସୋମବାର ନବରାତ୍ର ଆରମ୍ଭ ହେଉଛି। ମା ଦୂର୍ଗା ହାତୀ ବାହନରେ ଧରାବତରଣ କରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବରାତ୍ରିର ପ୍ରାରମ୍ଭ ରବି ବା ସୋମବାର ହେଲେ ମା ହାତୀ ବାହନରେ ଧରାବତରଣ କରିଥାନ୍ତି। ସେହିପରି ନବରାତ୍ରି ଯଦି ଗୁରୁବାର ବା ଶୁକ୍ରବାର ଆରମ୍ଭ ହୁଏ ତେବେ ମା ପାଲିଙ୍କିରେ ଆସିଥାନ୍ତି। ଶନିବାର ଓ ମଙ୍ଗଳବାର ନବରାତ୍ରି ଆରମ୍ଭ ହେଲେ ମା ଘୋଡାରେ ଆସନ୍ତି ଓ ବୁଧବାର ଆରମ୍ଭ ହେଲେ ମା ନୌକାରେ ଆସନ୍ତି।

କୁହାଯାଏ ନବରାତ୍ରିରେ ମା ହାତୀ ବାହନରେ ଆସିଲେ ବର୍ଷାର ସମ୍ଭାବନା ବଢି ଯାଇଥାଏ। ଫଳରେ ସବୁଜିମା ଭରିଯିବା ସହ ଧରା ଧନଧାନ୍ୟରେ ଭରି ହୋଇଯାଏ। ମା ହାତୀରେ ଆସିବା ଯୋଗୁ ଫସଲ ଭଲ ହୋଇଥାଏ। ଏଣୁ ମା ହାତୀରେ ଆସିଲେ ଅନ୍ନ-ଧନର ଭଣ୍ଡାର ଭରିଯାଏ ବୋଲି ମାନ୍ୟତା ରହିଛି। ମା ହାତୀ ଓ ନୌକାରେ ଆସିଲେ ସାଧକଙ୍କ ଲାଗି ମଙ୍ଗଳକାରୀ ମନେ କରାଯାଏ।

Spread the love