ଦେଶଦ୍ରୋହୀ ଶରଜିଲ ଗିରଫ

ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜବାହର ଲାଲ ବିଶ୍ୱବିଦ୍ୟାଳୟର ପୂର୍ବତନ ମେଧାବୀ ଛାତ୍ର ଶରଜିଲ ଇମାମ। ବିହାରର ଜହାନାବାଦରୁ ଶରଜିଲଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଛି। ଗିରଫ ବେଳେ ବିହାର ପୁଲିସ ସହଯୋଗର ହାତ ବଢ଼ାଇଥିଲା। ଏହି ମିଳିତ ଟିମର ନେତୃତ୍ୱ ନେଇଥିଲେ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଡିସିପି ରାଜେଶ ଦେବ।
ଏହାପୂର୍ବରୁ ସୋମବାର ପୁଲିସ ବିହାରର ଜହାନାବାଦରୁ ଶରଜିଲଙ୍କ ଘରେ ଯାଇ ରେଡ୍ କରିଥିଲେ। ଏହାପରେ ତାଙ୍କ ଭାଇ ଏବଂ ଶାହିନୀ ବାଗରେ ଜାରି ରହିଥିବା ଆନ୍ଦୋଳନର ସଂଯୋଜକ ମଜାମ୍ମିଲ ଇମାମଙ୍କୁ ନିଜ ହେପାଜତକୁ ନେଇଥିଲା ପୁଲିସ। ଏହାପରେ ଦିଲ୍ଲୀ ପୁଲିସ ଶରଜିଲ ଇମାମଙ୍କୁ ମୁମ୍ୱାଇ, ପାଟନା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ସୂଚନାଯୋଗ୍ୟ, ୪ ଦିନ ତଳେ ଶରଜିଲ ଭାରତ ବିରୋଧରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅଲିଗଡ ମସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ମଞ୍ଚରୁ ଆସାମକୁ ଭାରତରୁ ଅଲଗା କରିବା ପାଇଁ ଧମକ ଦେଇଥିଲେ।
ଶରିଜଲଙ୍କ ଏଭଳି ମନ୍ତବ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହାବାଦ ଆସାମର ଗୌହାଟି ଏବଂ ଉତ୍ତର ପ୍ରଦେଶର ଅଲିଗଡ଼ରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଯେଉଁଥିରେ ଦେଶଦ୍ରୋହ ମାମଲା ମଧ୍ୟ ରହିଛି। ଉତ୍ତର ପ୍ରଦେଶ ପୁଲିସ ମଧ୍ୟ ଶରଜିଲକୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା।

Spread the love