ଆଜି ଘରେ ଘରେ ପାଳିତ ହେଉଛି ଷଠୀ ଓଷା ବ୍ରତ

ଆଜି ହେଉଛି ଓଡ଼ିଆମାନଙ୍କ ପାରମ୍ପରିିକ ଷଠି ଓଷା । ଯାହାକୁ ଅନେକ ଷଷ୍ଠୀ ଓଷା ବୋଲି ମଧ୍ୟ କୁହାଯାଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପୂଜାକୁ ଅତି ଶ୍ରଦ୍ଧାରେ ସହ ପାଳନ କରାଯାଏ।  ପିଲାଙ୍କ ସୁସ୍ଥତା କାମନା କରିବା ପାଇଁ ଷଠି ଠାକୁରାଣୀଙ୍କୁ ପୂଜା କରାଯାଏ।

ଏମିତିରେ ଆଜି ଭୁବନେଶ୍ୱର ଉପକଣ୍ଠ ଶିଶୁପାଳ ଗଡ଼ରେ ଷଠି ଓଷା ପର୍ବ ପାଳନ କରାଯାଇଛି। ଷଠୀ ମୂର୍ତ୍ତି ତିଆରି କରଯାଇ ହଳଦିଆ କନା ପିନ୍ଧାଯାଇଛି। ପରେ ଏଥିରେ ଫୁଲ, ଚନ୍ଦନ, ଧୂପ, ଦୀପ ଓ ଅଗୁର ଇତ୍ୟାଦି ଦେଇ ଗୋଟିଏ ପିଢ଼ା ଉପରେ ରଖଯାଏ । ଛ’ପ୍ରକାର ତରକାରୀ ବଢ଼ାଯାଏ । ତେବେ ଏହାକୁ ସପ୍ତାହ ଧରି ପାଳନ କରାଯାଏ। ଏମିତିରେ ସପ୍ତାହକୁ ଗୋଟିଏ ଦିନ ଆମିଷ ଭୋଗ ମଧ୍ୟ ଦିଆଯାଏ।

ଏହସହିତ ଖୋର୍ଦ୍ଧା ଜ଼ିଲ୍ଲା ବାଳକାଟୀ ସ୍ଥିତ ବସନ୍ତପେଡି ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗ୍ରାମର ଠାକୁରଙ୍କ ନିକଟରେ ଭୋଗ ନୈବେଦ୍ୟ ରଖି ଶିବଙ୍କୁ ଉପାସନା କରିବା ସହିତ ବ୍ରତ ରଖି ନଡ଼ିଆ ଗୁଆକୁ ରଖି ପୂଜାର୍ଚନା କରିଛନ୍ତି । ଆଜିଠାରୁ ଏହି ପର୍ବ ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲି ସେହି ଦିନ ଉଦଯାପନ କରାଯିବ। ପରିବାରର ମଙ୍ଗଳ ପାଇଁ ଏହି ପର୍ବ ପାଳନ କରାଯାଇ ଥାଏ ବୋଲି ମହିଳାମାନେ କହିଛନ୍ତି ।

ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ମାନେ ଗଣେଶ ଚତୁର୍ଥୀର ଦୁଇ ଦିନ ପରେ ଷଠି ଓଷା ପାଳନ ହୁଏ । ତେବେ କେତେକ ଏହାକୁ ସୋମନାଥ ବ୍ରତ ମଧ୍ୟ କହିଥାନ୍ତି । ଏଥିପାଇଁ ମହିଳା ମାନେ ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ପାଳନ କରନ୍ତି। ଏହିବ୍ରତରେ ଷଠୀ ମା ଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ। ଭାତ, ଡାଲିଠୁ ଆରମ୍ଭ କରି ଚକୁଳି ପିଠା, ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଏହାସହିତ ମାଟିରେ ୬ଟି ଷଠୀଙ୍କୁ ତିଆରି କରାଯାଏ। ଏହି ପୂଜାରେ ଆଉ ଏକ ଖାସ କଥା ରହିଛି। ଏହି ଦିନ ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କଳସୀ ତା’ ପାଖରେ ରଖାଯାଏ ।

ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ରଖାଯାଏ। । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି । ଏହାସହିତ ପାଞ୍ଚ ପ୍ରକାର ଗଛକୁ ଏକାଠି ବନ୍ଧା ଯାଇ ପିଲାଙ୍କୁ ଆଶିର୍ବାଦ ସ୍ୱରୁପ ମାଡ଼ ମରାଯାଏ।

ଏହାକୁ ଷଠି ବାଡ଼ିଆ କୁହାଯାଏ। ତେବେ ଏହାପଛରେ ମଧ୍ୟ ଏକ ମାନ୍ୟତା ରହିଛି। ଏହି ଗଛ ବିଡ଼ାକୁ ଏକାଠି କରି ବାନ୍ଧି ଶିଶୁମାନଙ୍କ ରକ୍ଷା ପାଇଁ ତାଙ୍କ ପିଠିରେ ମାଆ ମାଆ ମାନେ ବାଡ଼େଇଥାନ୍ତି। ଏହାକୁ ଷଠିବାଡ଼ିଆ କୁହାଯାଏ। ଏମିତିରେ ଶିଶୁମାନଙ୍କ ବାଳ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି।

Spread the love