ଏସ୍‍ଏଚ୍‍ଜିଙ୍କୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ଗର୍ଭବତୀ ମହିଳା, ମା’ ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ରାସନ (ଟେକ୍‍ ହୋମ୍‍ ରାସନ) ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା ମିଳିଛି। କୁପୋଷଣ ଦୂର ଦିଗରେ ମହିଳା ଏସ୍‍ଏଚ୍‍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍‍ ହୋମ୍‍ ରାସନ (ଟିଏଚ୍‍ଆର) କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସଫଳ ପଦକ୍ଷେପକୁ ନେଇ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମୂଲ୍ୟାୟନ କରାଯାଇଥିଲା। ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ପ୍ରତି ବ୍ଲକରେ ହାରାହାରି ଦୁଇଟିରୁ ଅଧିକ ଟିଏଚ୍‍ଆର ୟୁନିଟ୍‍ କାର୍ଯ୍ୟକାରୀ କରାଯାଇଛି ଯାହା ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପରିଚାଳିତ। ଏସ୍‍ଏଚ୍‍ଜି ଗୁଡ଼ିକ ରାସନ ପାଇଁ ଆବଶ୍ୟକ କଞ୍ଚାମାଲ ନିଜେ ସଂଗ୍ରହ କରୁଥିବା ବେଳେ କେବଳ ଗହମ ଏଫ୍‍ସିଆଇ ପକ୍ଷରୁ ଯୋଗାଇ ଦିଆଯାଉଛି। ସମସ୍ତ ଏଚ୍‍ଏଚ୍‍ଜି ନିକଟରେ ଟିଏଚ୍‍ଆର ଉତ୍ପାଦନ ପାଇଁ ଏଫ୍‍ଏସ୍‍ଏସ୍‍ଏଆଇ ଖାଦ୍ୟ ଲାଇସେନ୍ସ ସହିତ ଆବଶ୍ୟକ ସରଞ୍ଜାମ ମହଯୁଦ ଅଛି। ରାସନ ଆବଣ୍ଟନ କାର୍ଯ୍ୟ ସମାପନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବାରୁ ପୂରା ପ୍ରକ୍ରିୟାର ଅନୁଧ୍ୟାନ କାର୍ଯ୍ୟ ସହଜ ହୋଇପାରିଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଉଦ୍ୟମକ୍ରମେ ସୁପରଭାଇଜର୍‍, ସିଡିପିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିଶନ୍‍ ଶକ୍ତି ବିଭାଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏସବୁ ବିଭାଗର ଅଧିକାରୀମାନେ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ରାସନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରୁଛନ୍ତି।

Spread the love