ମଇ ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡି ସାଇ ମନ୍ଦିର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗର-ମନମାଡ଼ ଜାତୀୟ ରାଜମାର୍ଗ ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିର ରହିଛି। ସାଇ ବାବାଙ୍କ ମନ୍ଦିରରର ସୁରକ୍ଷା ଲାଗି କେନ୍ଦ୍ର ସରକାର ସିଆଇଏସ୍ଏଫ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଏମିତି କି ଶିରିଡିର ଗ୍ରାମବାସୀମାନେ ସିଆଇଏସ୍ଏଫ୍ ମୁତୟନକୁ ପସନ୍ଦ କରୁ ନଥିବା ବେଳେ ଏହାକୁ ନେଇ ପ୍ରତିବାଦ ବି କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଶିରିଡିର ସାଇ ବାବା ମନ୍ଦିର ଆସନ୍ତା ମଇ ୧ ତାରିଖରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦେଶ ଦୁନିଆରୁ କୋଟିକୋଟି ଲୋକ ସାଇବାବାଙ୍କୁ ଦର୍ଶନ କରିବାକୁ ଶିରିଡ଼ି ଆସିଥାଆନ୍ତି। ଶିରିଡ଼ି ସାଇ ମନ୍ଦିରରେ ଭକ୍ତମାନେ ବହୁତ ଦାନ କରିଥାଆନ୍ତି । ଏହି ମନ୍ଦିରକୁ ଆସୁଥିବା ଦାନ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇ ରହିଥାଏ । ଏଭଳି ପରିସ୍ଥିତିରେ ଶିରିଡି ସାଇ ମନ୍ଦିର ମଇ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବା ଘୋଷଣା ଖବର ପାଇବା ପରେ ଭକ୍ତମାନେ ନିରାଶ ହୋଇପଡ଼ିଛନ୍ତି।

ଦେଖିବାକୁ ଗଲେ ଦେଶରେ ସିଆଇଏସଏଫକୁ ସବୁ ଔଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟ ସୁରକ୍ଷା ନିମନ୍ତେ ମୁତୟନ କରାଯାଇଥାଏ। ଏହି କ୍ରମରେ ସରକାର ଶିରଡ଼ି ସାଇଙ୍କ ମନ୍ଦିରର ସୁରକ୍ଷା ନିମନ୍ତେ ପ୍ରଥମ କରି ସିଆଇଏସଏଫ ମୁତୟନର ନିଷ୍ପତ୍ତି ନେଇଛନ୍ତି।  ଏହାକୁ କିନ୍ତୁ ଶିରିଡି ସାଇ ମନ୍ଦିର ପ୍ରଶାସନ ଓ ଗ୍ରାମବାସୀ ବିରୋଧ କରୁଛନ୍ତି।

Spread the love