ଶିବରାଜଙ୍କୁ ଦିଲ୍ଲୀ ଡକରା, କେନ୍ଦ୍ରରେ ମିଳିପାରେ ବଡ଼ ପଦବୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ବୈଠକ ପାଇଁ ଦିଲ୍ଲୀ ଡାକିଛନ୍ତି। ଏହା ଉପରେ ଶିବରାଜ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦିଲ୍ଲୀକୁ ଡାକିଛନ୍ତି ଏବଂ ସଂଗଠନ ଯାହା ନିଷ୍ପତ୍ତି ନେବ ତାହା କରିବ। ମିଳିଥିବା ସୂଚନା ଅନୁଯାୟୀ ଶିବରାଜ ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ। କେନ୍ଦ୍ର କ୍ୟାବିନେଟରେ ଏକ ଛୋଟକାଟିଆ ସଂପ୍ରସାରଣ ସମ୍ଭାବନା ମଧ୍ୟରେ ଏହି ବୈଠକକୁ ଗୁରୁତ୍ବ ଦିଆଯାଉଛି । ନରେନ୍ଦ୍ର ସିଂ ତୋମର ମଧ୍ୟପ୍ରଦେଶକୁ ଫେରିବା ପରେ କେନ୍ଦ୍ରରେ କୃଷି ମନ୍ତ୍ରାଳୟ ଖାଲି ଥିଲା । ଶିବରାଜଙ୍କୁ ଏହି ମନ୍ତ୍ରାଳୟ ମିଳିବା ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ରବିବାର ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା, ସଂଗଠନ ସାଧାରଣ ସମ୍ପାଦକ ହିତାନନ୍ଦ, ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଓରା ଓ ରାଜେନ୍ଦ୍ର ଶୁକ୍ଳା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ପଟେଲ, କୈଳାସ ବିଜୟବର୍ଗୀ ଓ ନରେନ୍ଦ୍ର ତୋମାର ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବରିଷ୍ଠ ନେତାଙ୍କ ବ୍ୟତୀତ ବିଧାୟକ ନିର୍ବାଚନରେ ପରାଜିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗ ଦେଇନଥିଲେ। ଏହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଉଥିଲା। ଏହାପରେ ଶିବରାଜଙ୍କୁ ଭେଟିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କୁ ଦିଲ୍ଲୀ ଡାକିଛନ୍ତି।

Spread the love