ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ-ସେ ଜଣେ ଫିଜିଓ, ତାଙ୍କୁ ମୋ ଭଉଣୀ ପଠାଇଥିଲେ

ଭୁବନେଶ୍ବର: ବିରୋଧୀ ଦଳ ଉଠାଇ ଥିବା ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ପ୍ରସଙ୍ଗ ଉପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପି ଚର୍ଚ୍ଚା ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବିଧାନସଭାରେ ଏ ନେଇ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓ ଥେରାପିଷ୍ଟ। ମୋ’ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ମୋ ଫିଜିକାଲ୍ ଫିଟ୍‌ନେସ୍‌ର ଯତ୍ନ ନେବାକୁ ତାଙ୍କୁ ପଠାଇଥିଲେ।

ଏଥିସହ ଶ୍ରଦ୍ଧାଙ୍କୁ ସରକାରୀ ବାସଗୃହ ଆବଣ୍ଟନ କରାଯାଇଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାକୁ ଖଣ୍ଡନ କରି କହିଛନ୍ତି, ଶ୍ରଦ୍ଧାଙ୍କୁ ଭୁବନେଶ୍ୱରରେ  କୌଣସି ସରକାରୀ କ୍ବାର୍ଟର ଦିଆଯାଇ ନାହିଁ। ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ।

ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଆମେ ବିଧାନସଭାର ବହୁମୂଲ୍ୟ ସମୟକୁ ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ଦରକାର।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଜୁନ୍‌ ୨୨ ତାରିଖରେ ଭାଟିକାନ ସିଟି ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ କ୍ୟାଥଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍‌ସିସଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ସେଠାରେ ମଧ୍ୟ ଉପସ୍ଥିତ ଥିଲେ ଶ୍ରଦ୍ଧା। ତେବେ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ଶ୍ରଦ୍ଧା ଉପସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇ ଥିଲେ ବିରୋଧୀ।

Spread the love