ଲୀଳାଖେଳା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଗଲେ ମହାବାହୁ

ଭୁବନେଶ୍ୱର, ୪/୦୭: ସୁରୁଖୁରୁରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା। ନବାଦିନାତ୍ମକ ଲୀଳା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

 

ରଥଉପରୁ ପ୍ରଥମେ ରତ୍ନବେଦୀ ଯାଇଥିଲେ ସୁଦର୍ଶନ । ଏହାପରେ ଶ୍ରୀ ବଳଭଦ୍ର, ପଛେ ପଛେ ଦେବୀ ସୁଭଦ୍ରା ଏବଂ ସବା ପଛରେ ଗୋଟି ପହଣ୍ଡିରେ ଝୁଲି ଝୁଲି ରତ୍ନବେଦୀକୁ ବିରାଜମାନ କରିଥିଲେ ମହାପ୍ରଭୁ  ଶ୍ରୀଜଗନ୍ନାଥ।  ନୀଳକନ୍ଦର ବାହୁଡ଼ା ବେଳେ ବିଜେ କାହଳୀ, ଘଣ୍ଟ , ହରିବୋଲ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ପ୍ରକମ୍ପିତ ହୋଇଥିଲା ।

ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଂଜନ କରିଥିଲେ । ମହାପ୍ରଭୁଙ୍କ ସଅଳ ନୀଳାଦ୍ରି ବିଜେ ପହଣ୍ଡିରେ ଆଜି ରେକର୍ଡ ସୃଷ୍ଟି ହୋଇଛି । ରାତି ୯ଟା ସୁଦ୍ଧା ରତ୍ନବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଦା ମୂର୍ତ୍ତି । ବିଜେ ନୀତି ସମ୍ପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ ନୀତି ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି । ନୀଳାଦ୍ରି ବିଜେ ପାଇଁ ନିର୍ଘଣ୍ଟ ସ୍ୱତନ୍ତ୍ର ନୀତି ଅନୁଯାୟୀ ଆଜି ସକାଳୁ ତିନି ରଥ ଉପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ , ବେଶ ଶେଷ ହୋଇଥିଲା ।

ପରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ ନୀତି, ବେଶ ସମ୍ପନ୍ନ ହୋଇଥିଲା । ଏହାପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସଂଧ୍ୟା ଆଳତୀ, ସଂଧ୍ୟା ଧୂପ ଆଦି ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ନ ୧.୩୦ ରୁ ୩.୩୦ ମଧ୍ୟରେ ତିନି ରଥରେ ଚାରବନ୍ଧା ହୋଇ ସିଂହାସନ ମାଜଣା କରାଯାଇଥିଲା । ପୁଷ୍ପାଞ୍ଜଳି ପରେ ୪ଟାରେ ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି । ପ୍ରଥମେ ରାମ-କୃଷ୍ଣ, ମଦନମୋହନ ଏବଂ ପରେ ସୁଦର୍ଶନ ନୀଳାଦ୍ରି ବିଜେ କରିଥିଲେ । ୪.୫୦ ରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା । ରତ୍ନବେଦୀରେ ବଡ଼ଠାକୁର ବିରାଜମାନ କରିବା ପରେ ସଂଧ୍ୟା ୬ଟାରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରା ରତ୍ନବେଦୀରେ ବିଜେ କରିବା ପରେ ସଂଧ୍ୟା ୬.୪୫ ମିନିଟ୍ ରେ ମହାପ୍ରଭୁ କାଳିଆ ଠାକୁରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ସମୟରେ ଚାରମାଳ ଉପରେ ତିନି ଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା ।

ସ୍ନାନ ପୂର୍ଣ୍ଣିମାଠାରୁ ଆଜି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିନା ଭକ୍ତରେ କୋଭିଡ୍ ନିୟମ ପାଳନ ସହ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଲାଳାମୟଙ୍କ ଲୀଳାଖେଳ ଶେଷ ହୋଇଛି । ମହାପ୍ରଭୁଙ୍କ ଲୀଳାରେ ଅସମ୍ଭବରୁ ସମ୍ଭବ ହୋଇଥିବା ଘୋଷଯାତ୍ରା ଇତିହାସରେ ନୂଆ ଫର୍ଦ୍ଦ ଯୋଡିଛି । କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ଘୋଷଯାତ୍ରା ଚାଲେଂଜକୁ ସଫଳତାର ସହ ଅତିକ୍ରାନ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନର ନିଷ୍ଠାପର ଉଦ୍ୟମ ତଥା ସେବାୟତମାନଙ୍କ ସହଯୋଗକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Spread the love