ଅବହେଳିତ ପ୍ରସିଦ୍ଧ ଶୈବକ୍ଷେତ୍ର ମହାବିନାୟକ

ଚଣ୍ଡିଖୋଲ ୧୬/୦୧ : ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମହାବିନାୟକ ଏବେ ଅବହେଳିତ। ଜିଲ୍ଲା ତଥା ରାଜ୍ୟର ଶୋଭା ମଣ୍ଡିତ କରୁଥିବା ଏହି ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ଏବେ ଜରାଜୀର୍ଣ୍ଣ ହୋଇପଡିଛି। ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ରାଜ୍ୟ ପର୍ଯ୍ୟଟନ ବିଭାଗ, କାହାରି ନଜର ପଡୁନାହିଁ। ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ପାଇଁ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ବିରଜା କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ପ୍ରତି ଯେମିତି ଆଖି ବୁଜିଦେଇଛନ୍ତି।
ମନ୍ଦିରର ଚତୁର୍ପାଶ୍ୱରେ ଶୋଭା ମଣ୍ଡନ କରୁଥିବା ସବୁଜ ବନାନୀ ଏବେ ଅସୁରକ୍ଷିତ ହୋଇପଡିଛି। ଫଳରେ କେବଳ ମହାବିନାୟକ ମନ୍ଦିର ନୁହେଁ ବରଂ ସେଠାକୁ ନିତିଦିନ ଆସୁଥିବା ପର୍ଯ୍ୟଟକଙ୍କ ପ୍ରତି ମଧ୍ୟ ବିପଦ ରହିଛି। ବର୍ଷା ହେଲେ ପାହାଡ ଉପରୁ ମାଟି ଧସୁଛି। ଅସରାଏ ବର୍ଷାରେ ବି ପାହାଡ ଉପରୁ ଗୋଳିଆ ପାଣି ଗଡି ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ କରୁଛି। ଫଳରେ ସେଠାକୁ ଯାଉଥିବା ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କେବଳ ସେତିକି ନୁହେଁ ମହାବିନାୟକ ମନ୍ଦିର ପ୍ରତି ମଧ୍ୟ ବିପଦ ରହିଛି। କାରଣ ଅସରାଏ ବର୍ଷା ହେଲେ ପାହାଡ ଉପରୁ ବିଶାଳ ଆକାରର ମାଟି ଅତଡ଼ା ଭୁଶୁଡିପଡୁଛି। ତଳେ ପ୍ରାଚୀର ବ୍ୟବସ୍ଥା ନଥିବାରୁ ମନ୍ଦିର ପ୍ରତି ମଧ୍ୟ ବିପଦ ରହିଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାରମ୍ବାର ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ବି ଚେଇଁ ଶୋଇଲା ଭଳି ଶୋଇଛି ଜିଲ୍ଲା ପ୍ରଶାସନ। ମନ୍ଦିରର ଚତୁର୍ପାଶ୍ୱରେ ପ୍ରାଚୀର ନିର୍ମାଣ ନହେଲେ ଆଗାମୀ ଦିନରେ ବଡ ବିପଦର ଯେ ସାମ୍ନା କରିବାକୁ ପଡିବ ଏଥିରେ ସନ୍ଧେହ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ମନ୍ଦିରର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ହାତକୁ ନେବାକୁ ପୂଜକ ଏବଂ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Spread the love