ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ଲାଗି ଉଚ୍ଛେଦ ଆରମ୍ଭ

ପୁରୀ ୦୬।୦୬: ପୁରୀ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଆଜିଠାରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।‌  ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗର ଅଧିକାରୀ, ସେସୁ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଉଛେଦ କାର୍ଯ୍ୟରେ‌ ଏକାଧିକ ଜେସିବି ମେସିନ୍ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ମାଜିଷ୍ଟ୍ରେଟ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସେପଟେ ଓଭରବ୍ରିଜ ନିର୍ମାଣ ପାଇଁ ସିଦ୍ଧମହାବୀର, କୁମୁଟିପାଟଣା, ମାଟିଆପଡା ଓ ବାଲୁଖଣ୍ଡର ଚାରୋଟି ମୌଜାର ୧୬୧ ଜଣ ବିସ୍ଥାପିତ ଅଛନ୍ତି। ସେମାନଙ୍କୁ ପ୍ରଶାସନ ନୂଆ ପ୍ୟାକେଜ ଦେଇ ମନାଇବାରେ ସଫଳ ହେବା ପରେ ଦୋକାନ ଘର ଖାଲି କରିବା ସହ ଜମି ହସ୍ତାନ୍ତର କରିଥିଲେ। ଶହେ ବର୍ଗଫୁଟରୁ ଅଧିକ ଇଲାକାରେ ଦୋକାନ ଘର ଥିବା ଦୋକାନୀଙ୍କୁ ୨ଲକ୍ଷ ୨୫ ହଜାର ଓ କମ୍ ଇଲାକାରେ ଥିବା ଦୋକାନୀଙ୍କୁ ୧ଲକ୍ଷ ୨୫ ହଜାର ଟଙ୍କା ଦିଆଯିବ ବୋଲି ନିଷ୍ପତି ହୋଇଥିଲା।

ସେହିପରି ଚୁଡ଼ାନ୍ତ ନକ୍ସା ଅନୁଯାୟୀ ନିର୍ମାଣ ହେବ ସିଦ୍ଧମହାବୀର ରେଲୱେ ଓଭରବ୍ରୀଜ। ରେଳ ଓଭରବ୍ରିଜର ଲମ୍ୱ ୬୩ଦଶମିକ ୮୪ ମିଟର ଥିବା ବେଳେ ଚଉଡ଼ା ରହିଛି ୨୪ ମିଟର। ଏଥିରେ ଦୁଇଟିକିଆ ଆପ୍ରୋଚ ରୋଡ, ଡ଼୍ରେନେଜ, ସର୍ଭିସ ରୋଡ଼ ଆଦି ରହିଛି। ଓଭରବ୍ରିଜ୍ ନିର୍ମାଣ ପାଇଁ ୨.୬୬ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ରାସ୍ତାର ଲମ୍ୱ ୯୦୦ ମିଟର ଓ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ଼ ନିର୍ମାଣ ନିମନ୍ତେ ୮୦ ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଏହି ଓଭରବ୍ରିଜ ନିର୍ମାଣ ହେଲେ ପୁରୀ ସିଦ୍ଧମହାବୀର ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ।

ଓଭରବ୍ରିଜ ନିର୍ମାଣ ନେଇ ବିଧାନସଭାରୁ ପାର୍ଲାମେଣ୍ଟ ଯାଏ ଉଦ୍ୟମ କରାଯାଇଥିଲା। ହେଲେ ବିସ୍ଥାପିତଙ୍କୁ ମନାଇବାରେ ବିଫଳ ହେବା ଯୋଗୁଁ ବିଳମ୍ବ ହୋଇଥିଲା ନିର୍ମାଣ କାର୍ଯ୍ୟ। ବିସ୍ଥାପିତ ମାନେ ପ୍ରଶାସନ ପକ୍ଷରୁ ନିର୍ଦ୍ଦାରିତ କ୍ଷତିପୂରଣ ଉପରେ ରାଜି ହେବା ପରେ ଓଭରବ୍ରୀଜ ନିର୍ମାଣ ପାଇଁ ସବୁଜ ସଂକେତ ମିଳିଥିଲା। ଯାହାକୁ ନେଇ ସିଦ୍ଧମହାବୀର ଓଭରବ୍ରୀଜ ନିର୍ମାଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା।

Spread the love