ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ ୨୮।୦୯: ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର  ନିଜ ପଦରୁ ଇସ୍ତଫା ଦେଇ ରାଜନୀତିରେ ଚହଳ ପକାଇଛନ୍ତି। ହେଲେ ଦଳର ହାଇକମାଣ୍ଡ ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କରି ନାହାନ୍ତି। ମାମଲା ନିଜ ସ୍ତରରେ ସମାଧାନ କରିବାକୁ ହାଇକମାଣ୍ଡ ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁ ଗୋଷ୍ଠୀଙ୍କ  ଲମ୍ବା ତିକ୍ତତା ପରେ ଏବେ ଚରଣଜିତ ସିଂହ ଚନ୍ନୀଙ୍କ ସହିତ ମଧ୍ୟ ସମସ୍ୟା କମ ହେବାର ନାହିଁ।

ପାର୍ଟି ସଭାପତି ସେନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସିଦ୍ଧୁ କହିଛନ୍ତି, ସାଲିସ୍ କଲେ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଏ। ମୁଁ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର ଜନତାଙ୍କ କଲ୍ୟାଣର ଏଜେଣ୍ଡା ସହ କେବେ ସାଲିସ୍ କରି ପାରିବି ନାହିଁ। ଏଥିପାଇଁ ମୁଁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି। କଂଗ୍ରେସର ସେବା କରିବା ଜାରି ରହିବ ବୋଲି ସିଦ୍ଧୁ ଚିଠିରେ ଉଲ୍ଲେଖ କରିଛନ୍ତି।

ସିଦ୍ଧୁଙ୍କ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ଗୌତମ ସେଠ୍ ପଞ୍ଜାବ କଂଗ୍ରେସର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ପଞ୍ଜାବ କ୍ୟାବିନେଟ୍‌ର ମନ୍ତ୍ରୀ ରଜିଆ ସୁଲତାନ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରଜିଆ କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ସିଦ୍ଧାନ୍ତର ମଣିଷ। ସେ ପଞ୍ଜାବ ଓ ପଞ୍ଜାବୀଙ୍କ ପାଇଁ ଲଢେଇ କରୁଛନ୍ତି। ରଜିଆଙ୍କ ସ୍ଵାମୀ ତଥା ପୂର୍ବତନ ଆଇପିଏସ ମହମ୍ମଦ ମୁସ୍ତଫା ସିଦ୍ଧୁଙ୍କ ପରାମର୍ଶଦାତା ଅଟନ୍ତି।

Spread the love