ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜୀଅନ୍ତା ଜଳିଗଲେ ୫ ଶିଶୁ

ପାଟନା,୨୯ |୧୨ : ବିହାର ବାଙ୍କାରେ ଗ୍ୟାସ ସିଲିଣ୍ଡର ଫାଟି ୫ ଜଣ ପିଲାଙ୍କ ମୃତ୍ୟୁ । ଘଟଣା ଘଟିଛି ବିହାର ବାଙ୍କାରେ ରଜୈନର ରାଜାବର ଗାଁରେ।

ସୂଚନା ଅନୁସାରେ ରୋଷେଇ ଚାଲୁଥିବା ବେଳେ ଗ୍ୟାସ ଷ୍ଟୋଭରେ ଲିକ୍ ହେବାରୁ ବିସ୍ଫୋରଣ ଘଟିଥିଲା। ଫଳରେ ଗୋଟିଏ ପରିବାରର ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ପରିବାରର ଆହୁରି କିଛି ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ରାଜାବର ଗାଁର ଅଶୋକ ପାଶ୍ବାନଙ୍କ ଘରେ ଘଟିଛି ଏହି ଦୁଃଖଦ ଘଟଣା। ଅଶୋକଙ୍କ ସ୍ତ୍ରୀ ସରୀତା ଦେବୀ ରୋଷେଇ କରୁଥିବା ବେଳେ ଗ୍ୟାସ ପାଇପରେ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା। ପରେ ସିଲିଣ୍ଡରରେ ନିଆଁ ଲାଗି ଏହା ଫାଟିଥିଲା।

ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଲୋକେ ନିଆଁକୁ କାବୁ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଫାୟାର ବ୍ରିଗେଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ସେତେବେଳକୁ କିନ୍ତୁ ଘରର ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଥିଲା। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Spread the love