ଶିମଲାରେ ଧସିଲା ପାହାଡ: ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ, ଜାତୀୟ ରାଜପଥ ଅବରୋଧ
ଶିମଲା ୦୬/୦୯ : ହିମାଚଳ ପ୍ରଦେଶ ରାଜଧାନୀ ଶିମଲାର ଜ୍ୟୋରି ଅଞ୍ଚଳରେ ୫ ନମ୍ବର ଜାତୀୟ ରାଜପଥରେ ଏକ ପାହାଡ ଧସିଯାଇଛି। ଏହି ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଯାଇଛି। ତେବେ ଏଯାଏଁ କୌଣସି ମାନବ କିମ୍ବା ସମ୍ପତ୍ତି ହାନି ହୋଇଥିବା ସୂଚନା ମିଳିନାହିଁ। ଜିଲ୍ଲା ପ୍ରଶାସନ ପରିସ୍ଥିତି ଆକଳନ କରିବାକୁ ରାମପୁର ଏସଡ଼ିଏମ ଓ ପୋଲିସ ଟିମ ନିୟୋଜିତ କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକେ ଭୂସ୍ଖଳନର ଭିଡିଓ ନିଜ ନିଜ ମୋବାଇଲରେ ରେକର୍ଡ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଯେତେବେଳେ ଭୂସ୍ଖଳନ ହୋଇଛି ସେତେବେଳେ ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଅଛନ୍ତି। ପାହାଡ ଧସୁଥିବା ଦେଖି ଲୋକେ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିବାକୁ ଲାଗିଥିଲେ।
ଏହା ପୂର୍ବରୁ ଜୁଲାଇ ୨୫ ତାରିଖରେ କିନ୍ନୌର ଜିଲ୍ଲା ସାଙ୍ଗଲା-ଛିତକୁଲ ରାସ୍ତାରେ ବଡ ଧରଣର ଭୂସ୍ଖଳନ ଘଟିଥିଲା। ପାହାଡରୁ ପଥର ଖସି ଏକ ପର୍ଯ୍ୟଟକଙ୍କ ଗାଡି ଉପରେ ପଡିଥିଲା। ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩ ଜଣ ଆହତ ହୋଇଥିଲେ। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଲଗାତାର ଭୂସ୍ଖଳନ ଖବର ଆସୁଛି।