ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ ୦୧/୧୧: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଆଜି ଠାରୁ ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ, ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି, ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ସକାଳ ୬ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ ।

ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ପୂର୍ବରୁ online ମାଧ୍ୟମରେ ବୁକିଙ୍ଗ କରି ରାତ୍ରି ରହଣିର ମଜା ନେଇପାରିବେ ପର୍ଯ୍ୟଟକ । ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Spread the love