ବିବାଦରେ ହ୍ୟୁମାନ ସାଗର, ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଓଲିଉଡର ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର। ଏଥର ହ୍ୟୁମାନ ସାଗରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି। ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସୁଥିବା ବେଳେ ଗତକାଲି କିନ୍ତୁ ଏହା ସବୁ ସୀମା ଅତିକ୍ରମ କରୁଛି। ନିଜ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ପତ୍ନୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଲି ପୂର୍ବାହ୍ନ ୧୧ଟାରେ କାଉନସେଲିଂ ପାଇଁ ଥାନାରେ ଉଭୟ ପକ୍ଷ ପହଞ୍ଚିବାକୁ ସମନ କରାଯାଇଛି। ଏହି ସମୟରେ ମହିଳା ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। କାଉନସେଲର ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ସହ ଏହାର ସତ୍ୟତା ପରଖିବେ। ଏହାବାଦ ଏହି ମାମଲାରେ ହ୍ୟୁମାନଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ ହ୍ୟୁମାନଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯିବ। ଏଥିରେ ବିବାଦର ସମାଧାନ ନ ହେଲେ ପରବର୍ତ୍ତୀ ଏକ ତାରିଖରେ ପୁଣି ଥରେ କାଉନସେଲିଂ କରାଯିବ।

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ହୋଇଥିବା ଅଭିଯୋଗ ପ୍ରସଙ୍ଗରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି । ଗତକାଲି ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ନିୟମାନୁସାରେ ପ୍ରଥମେ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରାଯିବ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ ସମୟରେ ନିଜର ଗୀତ ପାଇଁ ବିବାଦରେ ଫସୁଥିବା ହ୍ୟୁମାନ ସାଗର ଏଥର ନିଜ ପାରିବାରିକ କଳହ ପାଇଁ ଚର୍ଚ୍ଚାର କାରଣ ପାଲଟିଛନ୍ତି ।

Spread the love