ସୁସ୍ମିତା ଦାସଙ୍କ କଣ୍ଠରେ ଦିଲୀରେ ଶୋଭିଲା ଆଦିବାସୀ ଜନଜାତି ସଙ୍ଗୀତ

ନୂଆଦିଲ୍ଲୀ:  ଦିଲ୍ଲୀର ସେଣ୍ଟ୍ରାଲ ଭିସ୍ତା ଠାରେ ଧିତାଙ୍ଗ ଧିତାଙ୍ଗର ଏକ ଚମତ୍କାର ପରିବେଷଣ ମାଧ୍ୟମରେ ଓଡ଼ିଶାର ଅନନ୍ୟ ଓ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଅରୋମିରା ଓ ସୁସ୍ମିତା ଦାସ ମିଳିତ ଭାବେ ଏକାଠି ହୋଇଛନ୍ତି। କଳା ଓ ପରମ୍ପରାକୁ ଜାତୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ୍ ଦିଲ୍ଲୀର ପ୍ରମୁଖ ଭାଗରେ ପରିବେଷଣ କରିଛନ୍ତି। ଏପ୍ରିଲ ପହିଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଠଟି ଆଦିବାସୀ ଜନଜାତି – ଗଦବା, ଦୁରୁଆ, ଭୂମିଜ, ବାଥୁଡ଼ି, ହୋ, ସାନ୍ତାଳି, ଖଡ଼ିଆ ଓ କନ୍ଧ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ। ନୃତ୍ୟଶିଳ୍ପୀମାନେ ସେମାନଙ୍କର ଚମକିତ ବେଶଭୂଷା, ଜୀବନ୍ତ ନୃତ୍ୟଶୈଳୀ ଏବଂ ଭାବପୂର୍ଣ୍ଣ ସଙ୍ଗୀତ ଦ୍ୱାରା ଭାରତୀୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସମେତ ୪୦୦୦ ସକ୍ରିୟ ଦର୍ଶକଙ୍କ ମନୋମୁଗ୍ଧ କରିଥିଲେ।
ଓଡ଼ିଶାର ଆଦିବାସୀ ଜନଜାତିଙ୍କ ପ୍ରତି ଉତ୍ସର୍ଗୀତ ଧିତାଙ୍ଗ ଧିତାଙ୍ଗ, ସେମାନଙ୍କର ଅନନ୍ୟ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀକୁ ପାଳନ କରିଥାଏ। ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ସମୃଦ୍ଧି ଓ ବିବିଧତା ଉପରେ ଆଲୋକପାତ କରି ପ୍ରତ୍ୟେକ ଜନଜାତିର ସ୍ୱତନ୍ତ୍ର ନୃତ୍ୟଶୈଳୀ, ସଙ୍ଗୀତ ଓ ବେଶଭୂଷାକୁ ଏଥିରେ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ପ୍ରକଳ୍ପର ସିଇଓ ତଥା କ୍ରିଏଟିଭ୍ ଡାଇରେକ୍ଟର ଦେବ ମେହେର କହିଛନ୍ତି, “ଓଡ଼ିଶାର ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତିକୁ ସେଣ୍ଟ୍ରାଲ ଭିସ୍ତାକୁ ଆଣିପାରିଥିବାରୁ ଆମେ ଆନନ୍ଦିତ। ଉପସ୍ଥିତ ଦର୍ଶକଙ୍କ ପ୍ରତିନିଧିତ୍ୱ ପ୍ରକୃତରେ ଭାରତର ୩୦ଟି ରାଜ୍ୟର ସଦ୍‍ଭାବନାକୁ ପ୍ରକାଶ କରେ।” ସୁସ୍ମିତା ଦାସ କହିଛନ୍ତି, “ଉତ୍କଳ ଦିବସରେ ଇଣ୍ଡିଆ ଗେଟ୍ ଠାରେ ଓଡ଼ିଶା ସଂସ୍କୃତିର ସୌନ୍ଦର୍ଯ୍ୟ ଓ ସମୃଦ୍ଧିର ପ୍ରଦର୍ଶନ କରିବା ମୋ ପାଇଁ ଏକ ଗୌରବର ବିଷୟ। ଏହି ଜୀବନ୍ତ ନୃତ୍ୟଶୈଳୀ ଏବଂ ପରମ୍ପରାକୁ ଏକ ଜାତୀୟ ମଞ୍ଚକୁ ଆଣିପାରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ ଏବଂ ଆଶା କରୁଛୁ ଯେ ଏହା ଦର୍ଶକଙ୍କ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇପାରିଛି।” ଓଡ଼ିଶାର ଅନନ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଅରୋମିରା ଏବଂ ସୁସ୍ମିତା ଦାସ ସବୁବେଳେ ମିଳିତ ଉଦ୍ୟମ କରି ଆସିଛନ୍ତି।

Spread the love