ସିଂହଦ୍ବାର ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ

ପୁରୀ : ସିଂହଦ୍ବାର ରୁପା ଛାଉଣୀ ପୂର୍ବରୁ ନୂଆ କବାଟ ଦ୍ବାର ଲାଗିବା କାମ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ଏହି କାର୍ଯ୍ୟ କରୁଛନ୍ତି। ନୂଆ ଦ୍ବାର ଲାଗିବା ପୂର୍ବରୁ ନୂଆ ଚଉକାଠ ଲଗାଇବା କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ନୂଆ ଦ୍ବାର ଓ ଚଉକାଠ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ନୀଳାଦ୍ରି ଭକ୍ତ ନିବାସରେ ନୂଆ ଦ୍ବାର ଉପରେ ରୁପାର ଚାଦର ବାଡ଼ିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରେ ଫ୍ରେମ୍‌ ଉପରେ ରୁପାରେ ପ୍ରସ୍ତୁତ ସିଂହ ମୂର୍ତ୍ତି ସହ ଅନ୍ୟାନ୍ୟ ଡିଜାଇନ୍‌ ଲାଗିବ।
ଶ୍ରୀମନ୍ଦିର ସିଂହଦ୍ବାରକୁ ସଂପୂର୍ଣ୍ଣ ରୁପାରେ ଆଚ୍ଛାଦିତ କରାଯାଉଛି। ମୁମ୍ବାଇର ଜଣେ ଦାତା ସିଂହଦ୍ବାର ନିର୍ମାଣ ପାଇଁ ଆବଶ୍ୟକ ବର୍ମା ଟିକ୍‌(ଶାଗୁଆନ କାଠ) ଓ ରୁପା ଯୋଗାଇ ଦେଇଛନ୍ତି। ଏଥିପାଇଁ ଗତ କିଛି ଦିନ ଧରି ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ନୀଳାଦ୍ରି ଭକ୍ତ ନିବାସ ପଛପାର୍ଶ୍ବରେ କଡ଼ା ସୁରକ୍ଷା ଭିତରେ କାଠରେ ନୂଆ ଦ୍ବାର ସହ ଏହା ଉପରେ ରୁପା ଚାଦର ବାଡ଼ିଆ କାମ ଜାରି ରଖିଥିଲେ। ରୁପାର ଆବଶ୍ୟକ କଟିଂ ଓ ଝଳେଇ କାମ କରୁଥିଲେ। ଏ ଭିତରେ ଏହି କାମ ଶେଷ ହୋଇଛି। ଏଣୁ ଆଜିଠାରୁ ନିର୍ମାଣ ସରିଥିବା ଦ୍ବାର ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଗତ ୨୧ ତାରିଖରେ ସିଂହଦ୍ବାରର ପୁରୁଣା କବାଟକୁ କଢ଼ାଯାଇ ଅସ୍ଥାୟୀ କବାଟ ଲଗାଯାଇଥିଲା। ନୂଆ ଦ୍ବାର ଲାଗିବା ପରେ ଏହି ଅସ୍ଥାୟୀ ଦ୍ବାରକୁ କାଢ଼ି ଦିଆଯିବ।

Spread the love