୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର ୧୫।୧୨:  ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩ ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଆସୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ ।

ଖବର ଅନୁଯାୟୀ, ସକାଳ ୯ଟା ୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଜୀବ କୁମାର। ଦିନ ୧୧ଟାରେ ଲୋକସେଭା ଭବନ କନଭେନସନ ହଲରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହା ପରେ ରାଜ୍ୟର ବିକାଶ ଯୋଜନା ସଂପର୍କରେ ମୁଖ୍ୟଶାସନ ସଚିବ ଏବଂ ଉନ୍ନୟନ କମିଶନର ଏକ ଚିଠା ପ୍ରେଜେଣ୍ଟେସନ ଦେବେ। ପରେ ଦିନ ସାଢ଼େ ୨ରୁ ସାଢ଼େ ୩ ଟା ପର୍ଯ୍ୟନ୍ତ ସେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚାମ୍ବରର ପ୍ରତିନିଧିମାନଙ୍କର ସହିତ ଆଲୋଚନା କରିବେ।

ଏହାପରେ ସେ ସମନ୍ବିତ ବିକାଶ ଯୋଜନା ଲକ୍ଷ୍ୟ ହାସଲ ବାବଦରେ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରିବେ। ଅପରାହ୍ନ ସାଢ଼େ ୪ଟାରେ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ। ସଂଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବେ। ଏହାପରେ ସେ ପୁରୀ ଗସ୍ତରେ ଯିବେ। ସଂଧ୍ୟା ସାଢ଼େ ୮ଟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ରାଜୀବ କୁମାରଙ୍କ ଓଡ଼ିଶା ରହଣୀ ପୁରୀରେ ହେବ। ଗୁରୁବାର ସକାଳ ସାଢ଼େ ୭ଟାରେ ସେ ସଡ଼କ ପଥରେ ପୁରୀ ସାତପଡ଼ା ଯିବେ। ସେଠାରେ କିଛି ସମୟ ପାଇଁ ଚିଲିକାରେ ରହିବେ। ଏହା ପରେ ରାଜୀବ କୁମାର କୋଣାର୍କ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।

Spread the love