ସଂସଦର ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୨/୧୧: ସଂସଦରେ ଶୀତାକାଳୀନ ଅଧିବେଶନ ପୂର୍ବରୁ ନଭେମ୍ବର ୨୮ (ରବିବାର)ରେ ସର୍ବଦଳୀୟ ବୈଠକ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇପାରନ୍ତି । ଏଥିରେ ବିରୋଧୀ ଦଳଗୁଡ଼ିକ ସହ ଶାନ୍ତିପୂର୍ଣ୍ଣ ଭାବେ ସଂସଦ ଚାଲିବା ଉପରେ ଆଲୋଚନା ହୋଇପାରେ । ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଡିସେମ୍ବର ୨୩ରେ ଶେଷ ହେବ।

ଆସନ୍ତା ସଂସଦ ଅଧିବେଶନରେ କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସଙ୍ଗ ଉଠିପାରେ। ସଂସଦ ବାହାରେ କୃଷକ ଏବଂ ଭିତରେ ବିରୋଧୀ ଏମଏସପି ଗ୍ୟାରେଣ୍ଟି ଆଇନ୍‌ ଉପରେ ଶାସକ ଦଳକୁ ଘେରିପାରନ୍ତି। ସେପଟେ ରାହୁଲ ଗାନ୍ଧୀ କୃଷକଙ୍କୁ ପତ୍ର ଲେଖି କହିଛନ୍ତି, ସାଥିମାନେ ଏବେ ବି ସଂଘର୍ଷ ଶେଷ ହୋଇନାହିଁ। ଏମଏସପି ପ୍ରସଙ୍ଗ ଏବେ ବି ବାକି ରହିଛି।

ଏହା ବ୍ୟତୀତ ବିରୋଧୀମାନେ ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି। ଇଡି-ସିବିଆଇ ନିର୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ସଂସଦରେ ହଙ୍ଗାମା ମଧ୍ୟ କରିପାରନ୍ତି ।

Spread the love