ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର ୩।୧୧କୋଭିଡ୍ କଟକଣାରେ ଏଥର ବି ଚାଲିବ ବିଧାନସଭାର ଶୀତ ଅଧିବେଶନ । ଶୀତ ଅଧିବେଶନ ନେଇ ଆସନ୍ତା ୨୯ ତାରିଖରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । ଏହା ୩ ଦିନ ଧରି ଚାଲିବ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେପଟେ ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ-ହଲ୍ଲା କରିପାରିବେନି । ସିମଲାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ସର୍ବଦଳୀୟ ବୈଠକରେ ସମସ୍ତ ଦଳକୁ ଏ ନେଇ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ କାଳୀନ ଅଧିବେଶନ । ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ୫ଟି ଛୁଟି ରହିଛି। ଦ୍ବିତୀୟ ଶନିବାର ଛୁଟି ଥିଲେ ମଧ୍ୟ ବିଧାନସଭା ବସିବ । ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଶୀତ କାଳୀନ ଅଧିବେଶନ ।

Spread the love