୧୭.୫୦ ଲକ୍ଷ ଲୁଟ୍‌ ଘଟଣା: ୨ ମହିଳାଙ୍କ ସମେତ ୬ ଗିରଫ

ଫୁଲବାଣୀ: ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ୍ ସମ୍ମୁଖରୁ ବ୍ୟବସାୟୀ ଅଜୟ ପାତ୍ର ଓ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ଠାରୁ ଦୁର୍ବୃତ୍ତମାନେ ୧୭.୫୦ ଲକ୍ଷ ଟଙ୍କା ଝାମ୍ପି ନେବା ଘଟଣାରେ ସଂପୃକ୍ତ ଲୁଟେରା ଗ୍ୟାଙ୍ଗ୍‌କୁ ନକ୍ସଲ୍‌ ଅପରେସନ୍‌ ଭଳି ଜଙ୍ଗଲରେ ଦୁଇଦିନ ଅପରେସନ୍‌ ପରେ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ପେସାଦାର ଗ୍ୟାଙ୍ଗ୍‌ ଓ ସେମାନେ ବିଭିନ୍ନ ଜିଲ୍ଲାରେ ଏକାଧିକ ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା କନ୍ଧମାଳ ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। କନ୍ଧମାଳ ଓ ବୌଦ୍ଧ ପୁଲିସ ହାତରୁ ଖସିବା ପରେ କଳାହାଣ୍ଡି କେସିଙ୍ଗା ପୁଲିସ ଏହି ଗ୍ୟାଙ୍ଗ୍‌କୁ ନାଟକୀୟ ଢଙ୍ଗରେ କାବୁ କରିଥିଲା। ପୁଲିସ ସେମାନଙ୍କ ଠାରୁ ଲୁଟ୍‌ କରିଥିବା ସମସ୍ତ ୧୭.୫୦ ଲକ୍ଷ ଟଙ୍କା ଜବତ କରିବା ସହ ୨ ମହିଳାଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଧିକ ଜେରା ପାଇଁ ପୁଲିସ ଲୁଟେରାଙ୍କୁ ରିମାଣ୍ଡ୍‌ରେ ଆଣିବ ବୋଲି ଏସ୍‌.ପି. କହିଛନ୍ତି। ଗିରଫ ମାନେ ହେଲେ ଆସିକା ଥାନା ପକଲାପଲ୍ଲୀର ଏ.କିଶୋର(୨୫), ଆସିକା ଆଇବି କ୍ୟ‌ାମ୍ପ୍‌ ଅଞ୍ଚଳର ଏ.ହରି ଓରଫ ଭେଙ୍କଟେଶ(୨୨), ମୁଖ୍ୟ ଅଭିଯୁକ୍ତ ଏ.କିଶୋରର ମା’ ଏମ୍‌.ଲିଲି, ପକଲାପଲ୍ଲୀର ସରସ୍ବତୀ ଦାସ (୫୦), କାର୍‌ ଡ୍ରାଇଭର ଲିଟୁ ଗୌଡ଼ (୩୫) ଏବଂ ଏ.ହରିର ବାପା ଏମ୍‌.ପାଣ୍ଡୁ। ସେମାନଙ୍କ ଠାରୁ ଗୋଟିଏ ପଲ୍‌ସର ବାଇକ୍‌, ମାରୁତି ସ୍ବିଫ୍‌ଟ ଡିଜାୟର କାର୍‌, ଏବଂ ୭ଟି ସ୍ମାର୍ଟଫୋନ୍‌ ଜବତ କରାଯାଇଛି।

ଏସ୍‌.ପି. ଶ୍ରୀ ପାତ୍ରଙ୍କ କହିବା ଅନୁସାରେ, ଗତ ୩ ତାରିଖ ପୂର୍ବହ୍‌ଣ ସାଢ଼େ ୧୧ଟା ସମୟରେ ମୁଖ୍ୟ ଅଭିଯୁକ୍ତ କିଶୋର ଏବଂ ହରି ଫୁଲବାଣୀର ଗ୍ରୋସେରି ଦୋକାନ ମାଲିକ ଅଜୟ ପାତ୍ର ଏବଂ ତାଙ୍କର ଗୁମାସ୍ତା ରମେଶ ପ୍ରଧାନଙ୍କୁ ଷ୍ଟେଟ୍‌ ବ୍ୟାଙ୍କ ନିକଟରୁ ପିଛା କରିଥିଲେ। ଅଜୟ ଓ ରମେଶ ବ୍ୟାଗ୍‌ରେ ଟଙ୍କା ଭର୍ତ୍ତି କରି ଷ୍ଟେଟ୍‌ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କରେ କିଛି ଟଙ୍କା ଜମା କରି ବଳକା ୧୭ ଲକ୍ଷ ୫୦ ହଜାର ଟଙ୍କା ଧରି ଆକ୍ସିସ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ଏ ସମୟରେ କିଶୋର ଏବଂ ହରି ସେମାନଙ୍କ ଟଙ୍କା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ଅଜୟ ଓ ରମେଶ ତଳେ ପଡ଼ି ଯାଇଥିଲେ। ଲୁଟେରା ଦ୍ବୟ କଳା ପଲ୍‌ସର ବାଇକ୍‌ରେ ଫୁଲବାଣୀରୁ କଟ୍ରିଙ୍ଗିଆ, ଗୋଛାପଡ଼ା ଓ ବାଲନ୍ଦାପଡ଼ା ଆଡ଼କୁ ପଳାଇ ଯାଇଥିଲେ।

Spread the love