ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ : ବିକ୍ରି ନୁହେଁ, ‘ସମାନ ନୀତି’ ଅନୁସାରେ ଜମିର ବନ୍ଦୋବସ୍ତ କରାଯାଉଛି

ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମିକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଓଡ଼ିଶାବାସୀଙ୍କ ସମେତ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ଏହାକୁ ବିରୋଧ କରିଥିଲେ। ଅନେକ ସମାଲୋଚନା ପରେ ଆଜି ଏହି ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ।ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ୩୫ହଜାର ଏକର ଜମି ବିକ୍ରି ହେବା ଖବର ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରାଯାଉଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ । ବହୁ ଦିନରୁ ବିଭିନ୍ନ ବ୍ୟକ୍ତିଙ୍କ ଦଖଲରେ ଥିବା ଏହି ଜମିଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏବଂ ଏବେ “ୟୁନିଫାଏଡ୍ ପଲିସି” ବା ସମାନ ନୀତି ଅନୁଯାୟୀ ମନ୍ଦିର କମିଟି ଦ୍ବାରା ଜବରଦଖଲ ହୋଇଥିବା ସେହି ଜମିଗୁଡ଼ିକର ବନ୍ଦୋବସ୍ତ କରାଯାଉଛି।  ୨୦୦୧ରୁ ୨୦୧୦ପର୍ଯ୍ୟନ୍ତ ୨୯୧ଏକର ଜମିର ବନ୍ଦୋବସ୍ତ କରାଯାଇଥିଲା ଏବଂ ୨୦୧୧ରୁ ୨୦୨୧ପର୍ଯ୍ୟନ୍ତ ୯୬ଏକର ଜମିର ବନ୍ଦୋବସ୍ତ ହୋଇଛି। ବିଦ୍ୟାଳୟ, ମେଡିକାଲ କଲେଜ, ସଡ଼କ ଇତ୍ୟାଦି ନିର୍ମାଣ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ପାଇଁ ଏଗୁଡିକ ବନ୍ଦୋବସ୍ତ  କରାଯାଇଛି। ସରକାରୀ ତଥା ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହିପରି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ସମ୍ବନ୍ଧୀୟ ନିଷ୍ପତ୍ତି ଜଗନ୍ନାଥ ମନ୍ଦିର କମିଟି ଦ୍ବାରା ନିଆଯାଇଛି। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି କରାଯିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଆଟେ।  ଆମେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ ଭକ୍ତଙ୍କୁ ଏହି ଖବର ଉପରେ ବିଶ୍ବାସ ନକରିବାକୁ ଅନୁରୋଧ କରୁଛୁ।

Spread the love