ନୂଆପିଢ଼ିଙ୍କ ପାଇଁ ସ୍କିଲ୍ ଡ଼େଭଲପମେଂଟ୍ ଏକ ରାଷ୍ଟ୍ରୀୟ ଆବଶ୍ୟକତା – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆପିଢ଼ିର ଯୁବକଙ୍କ ପାଇଁ ସ୍କିଲ୍ ଡ଼େଭଲପମେଂଟ୍ ଏକ ରାଷ୍ଟ୍ରୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ବଡ଼ ଆଧାର । ବିଗତ ୬ ବର୍ଷରେ ଯେଉଁ ଆଧାର ଏବଂ ଯେଉଁ ନୂଆ ସଂସ୍ଥାନ ହୋଇଛି ସେହି ସାମୂହିକ ଶକ୍ତିକୁ ଏକାଠି କରି ଆମକୁ ନୂଆ କରି ସ୍କିଲ୍ ଇଣ୍ଡିଆ ମିଶନକୁ ଗତି ଦେବାକୁ ହେବ ବୋଲି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଦେଶର ଯୁବବର୍ଗଙ୍କୁ ଭିଡ଼ିଓ କନଫରେନ୍ସ ଜରିଆରେ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁ ୬ବର୍ଷ ପୂରଣ ହୋଇଥିବା ବେଳେ ଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ ଅଟେ ବୋଲି ଏହି କାର୍ୟ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ବର୍ଗଙ୍କୁ ସମ୍ବୋଧନ କରି ସେମାନଙ୍କୁ ଦକ୍ଷତା ଜରିଆରେ ‘ଆତ୍ମନିର୍ଭର ଭାରତ’ ଗଠନ କରିବା ପାଇଁ ଆହ୍ୱାନ କରିଛନ୍ତି । କୌଣସି ବି ଦେଶର ଅର୍ଥନୀତି ସେତେବେଳେ ସୁଦୃଢ ହୁଏ ଯେତେବେଳେ ସେହି ଦେଶର ଯୁବକ ଅଧିକ କାର୍ୟ୍ୟ କରିଥାଏ ବା ଅଧିକ ଦକ୍ଷତା ବିଶିଷ୍ଟ ହୋଇଥାଏ । ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହା ଉପରେ ମତପ୍ରକାଶ କରିଛନ୍ତି । କରୋନା ମହାମାରୀ ସମୟରେ ବିଶ୍ୱ ଚାପରେ ଥିବା ସମୟରେ ସ୍କିଲିଂ, ରିସ୍କିଲିଂ ଏବଂ ଅପ୍ ସ୍କିଲିଂର ଆବଶ୍ୟକତା ବଢ଼ିଛି । କୋରୋନା ସମୟରେ ଦେଶରେ ସ୍ୱାସ୍ଥ୍ୟଗତ ଢ଼ାଂଚାକୁ ପରିବର୍ତନ କରାଯାଇଥିବା ବେଳେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବ ସମ୍ବଳର ଚାହିଦା ବୃଦ୍ଧି ପାଇଛି ।

ଲକ୍ଡ଼ାଉନ ସମୟରେ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ଦକ୍ଷ ମାନବ ସମ୍ବଳ ଦରକାର ଏବଂ ଏହାକୁ ଭାରତ ସରକାର ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି କରିବା ସହ ସହ ସୋମାନଙ୍କୁ ରୋଜଗାର ସହ ଯୋଡ଼ିବାରେ ମଧ୍ୟ ବିଭିନ୍ନ କାର୍ୟ୍ୟକ୍ରମ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରରେ ପ୍ରେରିତ ହୋଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ଓ ଦକ୍ଷତା ସହ ଟେକ୍ନୋଲୋଜି ମଧ୍ୟରେ ସମନ୍ୱୟ ସ୍ଥାପନା କରିବା ଦରକାର । ଯାହା ଦ୍ୱାରା ଦେଶର ଦକ୍ଷ ଯୁବପିଢ଼ିଙ୍କ ମଧ୍ୟରେ ପରିର୍ତନ ଆସିବ ଏବଂ ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ସେମାନେ ହୋଇପାରିବେ । ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଯାହା ପାଖରେ ସ୍କିଲ ଅଛି ସେହି ହିଁ ଆଗକୁ ବଢିପାରିବ । ବାବାସାହେବ ଆମ୍ବେଦକର ଯୁବବର୍ଗଙ୍କର ଦକ୍ଷତା ଉପରେ ଅଧିକ ଜୋର୍ ଦେଇଥିଲେ । ଆଜି ‘ସ୍କିଲ ଇଣ୍ଡିଆ’ ଜରିଆରେ ଦେଶ ବାବାସାହେବଙ୍କ ଏହି ଦୂରଦର୍ଶୀ ସ୍ୱପ୍ନକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ୭୫ଟି ନୂଆ ‘ଜନ ଶିକ୍ଷଣ ସଂସ୍ଥାନ’ର ଶୁଭାରମ୍ଭ କରାଯାଇଥିଲା । ଡ଼ିଜି ଲକରର ସହଯୋଗରେ ଏହି ଶିକ୍ଷଣ ସଂସ୍ଥାନ ସମେତ ବିଭିନ୍ନ ନୂତନ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆଜି ଶୁଭାରମ୍ଭ ହୋଇଯାଇଥିବା ନୂଆ କାର୍ୟ୍ୟକ୍ରମ ଦେଶର ସ୍କିଲ୍ ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ତୃଣମୂଳ ସ୍ତରରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ସହଯୋଗ କରିବ ବୋଲି
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Spread the love