ଶ୍ରୀଲଙ୍କାର ସ୍ଥିତି ଗମ୍ଭୀର; ଚାଉଳ କେଜି ୨୨୦, କ୍ଷୀର ପ୍ୟାକେଟ ୧୯୦୦ ଟଙ୍କା

କଲୋମ୍ବୋ: ଶ୍ରୀଲଙ୍କାରେ ମହଙ୍ଗବଜାରର ସ୍ଥିତି ଉତ୍‌କଟ ହେଲାଣି। ବିଦେଶୀ ମୁଦ୍ରା ଅପେକ୍ଷା ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ହ୍ରାସ ପାଇଥିବାରୁ ବଜାରରେ ଆତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି। ଦେଶରେ ଅର୍ଥନୀତି ଏତେ ବିଗଡ଼ିଯାଇଛି ଯେ ଗରିବଙ୍କ ହା ଅନ୍ନ ଡାକ ପଡ଼ିଲାଣି। ଡାଲି, ଚାଉଳ, ତେଲ ଓ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷ କିଣିବାକୁ ଦୋକାନ ସାମ୍ନାରେ ଲମ୍ବା ଲାଇନ୍ ଲାଗୁଛି। ଠେଲାପେଲା କରି ନାନା କସରତ କରିବା ପରେ କେଉଁଠି ସାମଗ୍ରୀ ମିଳୁଛି ତ ଆଉ କେଉଁଠି ଲୋକେ ଜିନିଷ ନପାଇ ନିରାଶ ହୋଇ ଫେରୁଛନ୍ତି। ସ୍ଥିତି ଏମିତି ଯେ ଅଧିଂକାଶ ଦୋକାନ ଫାଙ୍କା ହୋଇଗଲାଣି। ଏହି ସମୟରେ କଳାବଜାରି ବି ବଢ଼ୁଛି। ଦୋକାନୀମାନେ ଲୋକଙ୍କ ଠାରୁ ସାମଗ୍ରୀ ପାଇଁ ଅଧିକ ମୂଲ୍ୟ ମାଗୁଛନ୍ତି।

ଏଇ ସପ୍ତାହ ଭିତରେ ପନିପରିବାର ମୂଲ୍ୟ ଦୁଇଗଣା ହୋଇଯାଇଛି। ତାଉଳ ଗହମ କଥା ତ ନ କହିଲେ ଭଲ। ଚାଉଳ କିଲୋ ପ୍ରତି ୨୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗହମ ମୂଲ୍ୟ ୧୯୦ ପାର କରିଛି। ସେହିପରି ଚିନି କେଜି ୨୪୦, ନଡ଼ିଆ ତେଲ ଲିଟର ପ୍ରତି ୮୫୦ ଟଙ୍କା, ଗୋଟିଏ ଅଣ୍ଡାର ଦାମ ୩୦ ଟଙ୍କା, ସେହିପରି ଗୋଟିଏ ପ୍ୟାକେଟ୍ କ୍ଷୀରର ମୂଲ୍ୟ ୧୯୦୦ ଟଙ୍କା ହୋଇଛି। ଫେବ୍ରୁଆରୀ ମାସରୁ ଶ୍ରୀଲଙ୍କାରେ ଖୁଚୁରା ମହଙ୍ଗା ପରିସ୍ଥିତି ୧୭.୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳ ଖାଦ୍ୟ ସାମଗ୍ରୀରେ ମହଙ୍ଗା ସ୍ଥିତି ୨୫ ପ୍ରତିଶତ ବଢ଼ିଛି। ଏଥିପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଭୟଙ୍କର ଭାବେ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ଔଷଧ ଓ କ୍ଷୀରର ଅଭାବ ଦେଖାଦେଲାଣି।

ମହଙ୍ଗା ବଜାର ଶ୍ରୀଲଙ୍କାରେ ନିଆଁ ଜାଳିଛି। ସାରା ଦେଶରେ ବିଦ୍ରୋହ କରିଛନ୍ତି ଜନତା। ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବା ବେଳେ ଶ୍ରୀଲଙ୍କା ସରକାର ଲକ୍‌ଡାଉନ୍ ଘୋଷଣା କରିବା ସହିତ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରିଛନ୍ତି। ସମୋବର ସକାଳ ୬ଟା ପରେ କର୍ଫ୍ୟୁ ଉଠିବ ବୋଲି ଘୋଷଣା କରାଯାଇଛି।

Spread the love