ବିଏସକେଓ୍ୱାଇ ସ୍ମାର୍ଟ କାର୍ଡରେ ଯୋଡିହେବ ରାୟଗଡା

ରାୟଗଡ଼ା,୨୩/୧୧: ମଙ୍ଗଳବାର ରାୟଗଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ଼ର ଶୁଭାରମ୍ଭ କରାଯିବ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପରେ ଅନ୍ୟ ମନ୍ତ୍ରୀଗଣ ଏହି କାର୍ଡ଼ ବଣ୍ଟନ କରିବେ । କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିବେ । ଏତଦ୍‌ବ୍ୟତୀତ ଜିଲ୍ଲାର ସମସ୍ତ ବିଧାୟକ ଓ ରାଜ୍ୟର ଅନ୍ୟ ନିଗମ ଅଧ୍ୟକ୍ଷମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ଏହି ସ୍ୱାସ୍ଥ୍ୟକାର୍ଡ଼ ଦ୍ୱାରା ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାରର ୮ ଲକ୍ଷ ୩୪ ହଜାର ୫୭୦ ଜଣ ହିତାଧିକାରୀ ଉପକୃତ ହେବେ । ସେଥିମଧ୍ୟରୁ ରାୟଗଡ଼ା ବ୍ଲକର ୩୨୭ ଗାଁର ୩୧ ହଜାର ୭୭୯, ରାମନାଗୁଡ଼ା ବ୍ଲକର ୧୧୭ ଗାଁର ୧୪ ହଜାର ୮୫, ପଦ୍ମପୁର ବ୍ଲକର ୧୨୨ ଗାଁର ୧୪ ହଜାର ୧୯୨, ମୁନିଗୁଡ଼ା ବ୍ଲକର ୩୩୭ ଗାଁର ୨୫ ହଜାର ୬୩୯, କୋଲନରା ବ୍ଲକର ୨୧୯ ଗାଁର ୧୮ ହଜାର ୬୪୯, କାଶୀପୁର ବ୍ଲକର ୪୨୭ ଗାଁର ୪୨ ହଜାର ୯୪୮, କଲ୍ୟାଣସିଂହପୁର ବ୍ଲକର ୨୮୮ ଗାଁର ୧୭ ହଜାର ୭୯୨, ଚନ୍ଦ୍ରପୁର ବ୍ଲକର ୨୧୬ ଗାଁର ୧୦ ହଜାର ୮୬୦, ବିଷମକଟକ ବ୍ଲକର ୩୩୬ ଗାଁର ୨୭ ହଜାର ୪୧୯, ଗୁଡ଼ାରୀ ବ୍ଲକର ୧୪୩ ଗାଁର ୧୧ ହଜାର ୪୬୦ ଏବଂ ଗୁଣପୁର ବ୍ଲକର ୧୨୫ ଗାଁର ୨୧ ହଜାର ୬୮ ଜଣ ରହିଛନ୍ତି ।ରାୟଗଡ଼ା ପୌରାଞ୍ଚଳର ୧୦ ହଜାର ୫୮୨, ଗୁଣପୁର ପୌରାଞ୍ଚଳର ୪ ହଜାର ୪୨୮ ଏବଂ ଗୁଡ଼ାରୀ ଏନଏସି ଅଞ୍ଚଳର ୧ ହଜାର ୨୯୦ ଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିବା ସୂଚନା ମିଳିଛି ।ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବ୍ୟତୀତ ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ମନ୍ତ୍ରୀମାନେ ରାୟଗଡ଼ା ଠାରେ ପହଞ୍ଚିିବା ସହ ବିଭିନ୍ନ ବ୍ଲକକୁ ଯାଇ ମଧ୍ୟ କାର୍ଡ଼ ବଣ୍ଟନ କରିବେ ବୋଲି ଜଣାପଡ଼ିଛି ।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ବିଭାଗର ଉପଦେଷ୍ଟା ସୁଧୀର ଦାଶ ଏହି ଜିଲ୍ଲାରୁ ହୋଇଥିବା ଯୋଗୁ ଏହାକୁ ସଫଳ କରିବା ପାଇଁ ଶାସକ ବିଜେଡ଼ି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସୋମବାର ଦଳର କେତେକ ନେତା ପହଞ୍ଚି ଜିସିଡି ପଡିଆ ଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ବିଧାୟକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ସଭାପତି ଶ୍ରୀ ଦାଶ ପ୍ରମୁଖ ସନ୍ଧ୍ୟାରେ ଜିସିଡି ପଡିଆଠାରେ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ।

Spread the love