ବାଲେଶ୍ବରରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୧୫୫୩ କୋଟି ଟଙ୍କାର ପ୍ରକଳ୍ପ

ବାଲେଶ୍ବର ୨୬।୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା ବାଲେଶ୍ବର ଜିଲ୍ଲା । ବାଲେଶ୍ବର ଗସ୍ତରେ ଆସି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୫୫୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୧୨ଟି ବ୍ଲକ୍‌ର ୫ ଲକ୍ଷ ୧୩ ହଜାର ୩୫୨ ପରିବାରକୁ ଏହି ସ୍ମାର୍ଟ କାର୍ଡ ବଣ୍ଟାଯିବ । ବାଲେଶ୍ବର ଜିଲ୍ଲାର ୧୯ ଲକ୍ଷ ଲୋକଙ୍କୁ ମିଳିବ ସ୍ମାର୍ଟ ସ୍ବାସ୍ଥ୍ୟ ସେବା ।

ବାଲେଶ୍ବରରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୬୦୦ ମିସନ ଶକ୍ତି SHGର ମହିଳା ମାଛ ଚାଷ କରିବା ଖୁସିର କଥା । ମହିଳାମାନଙ୍କ ହାତକୁ ଆହୁରି ଅଧିକ କାମ ଯୋଗାଇ ଦିଆଯିବ । BSKYରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ମାଗଣାରେ ମିଳିବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ମୁଁ ଚାହେଁ ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ । ଓଡ଼ିଶାବାସୀ ସୁସ୍ଥ ରହିବା ସହ ରାଜ୍ୟ ଓ ଦେଶର ବିକାଶରେ ସହାୟକ ହୁଅନ୍ତୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକାପ୍ଟର ଯୋଗେ ଆସି ବାଲେଶ୍ବର ପୋଲିସ ପଡିଆରେ ଓହ୍ଲାଇଥିଲେ । ଏହାପରେ ପଡିଆରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟ ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୬୬ କୋଟି ୮୯ ଲକ୍ଷ ଟଙ୍କାର ୭୭ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୧୮୬କୋଟି ୭ ଲକ୍ଷ ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Spread the love