କୋଇଲା ବୋଝେଇ ଟ୍ରେନର ବଗିରେ ଧୂଆଁ, ଅଗ୍ନିଶମ ବିଭାଗ ନାକେଦମ

ହରିଚନ୍ଦନପୁର: ଅନୁଗୁଳ ଜିଲ୍ଲା ତାଳଚେରରୁ ହରିଚନ୍ଦନପୁର ଦେଇ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ସମ୍ପର୍କରେ ଖୋର୍ଦ୍ଧା ଡିଭିଜନ ହରିଚନ୍ଦନପୁର ରେଳ ଷ୍ଟେସନକୁ ଖବର ଆଜି ମଧ୍ୟାନ୍ନରେ ଦେଇଥିଲା। ଫଳରେ ହରିଚନ୍ଦନପୁର ଷ୍ଟେସନ ମାଷ୍ଟର ସୁରେଶ କୁମାର ପଲେଇ ଟ୍ରେନଟିକୁ ହରିଚନ୍ଦନପୁର ଷ୍ଟେସନରେ ଅଟକାଇ ଦମକଳ ବହିନୀକୁ ଖବର ଦେଇଥିଲେ। ସୂଚନାଯୋଗ୍ୟ ହରିଚନ୍ଦନପୁର ରେଳ ଷ୍ଟେସନରେ ବିଦ୍ୟୁତ ବିଭାଗର କର୍ମଚାରୀ ନଥିବାରୁ ଟମକାରୁ ରେଳବାଇର ବିଦ୍ୟୁତ କର୍ମଚାରୀ ଆସି ବିଦ୍ୟୁତ ଲାଇନ କାଟିଥିଲେ। ଫଳରେ ଦୁଇ ଘଣ୍ଟା ବିଳମ୍ବରେ ଅଗ୍ନିଶମ ବାହିନୀ ବଗିରୁ ଧୂଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଟିଏ ବଗିର ଧୂଆଁ ଲିଭାଇବା ପରେ ଅନ୍ୟ ୫ଟି ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୬ଟି ବଗିରୁ ଧୂଆଁ ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ବ୍ରମ ନେତୃତ୍ୱରେ ହାବିଲଦାର ବିଜୟ ନାୟକ, ଅଗ୍ନିଶମ କର୍ମଚାରୀ ସନ୍ତୋଷ ସାମଲ, ରାଜେଶ ମଙ୍ଗରାଜ, ରଂଜନ ପୃଷ୍ଟି ,ବିକ୍ରମ କେଶରୀ ସାମଲ ପ୍ରମୁଖ ଲିଭାଇଛନ୍ତି। ତେବେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ବଗିରୁ ଧୂଆଁ ବାହାରୁଥିବା ଅଗ୍ନିଶମ ଅଧିକାରୀ ଶ୍ରୀ ହେମ୍ବ୍ରମ ସୂଚନା ଦେଇଛନ୍ତି।

Spread the love