ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା କାର୍ଯ୍ୟ କରିବ ମହିଳାମୋର୍ଚ୍ଚା : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି । କରୋନା କଟକଣା କାରଣରୁ ଏହି ବୈଠକ ଭର୍ଚୁଆଲ (ଭିଡିଓ କନଫରେନ୍ସିଂ) ମାଧ୍ୟମରେ କରାଯାଇଥିଲା । ବୈଠକରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଆଲୋଚନା ହେବା ସହ ଆଗାମୀ ଦିନରେ ମହିଳାସଶକ୍ତିକରଣ ଓ ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେବା ନେଇ ବ୍ୟାପକ ଆଲୋଚନା ହୋଇଥିଲା । ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସୁଷମା ରାଣୀ ବିଶ୍ୱାଳ, ନିୟତି ଗିରି, କସ୍ତୁରି ମିଶ୍ର, ନିରୋଜ ନଳିନୀ ମହାଲ୍ଲିକ, ଅନୁ ଚୌଧୁରୀ, ମିଡିଆ ସଂଯୋଜିକା ସୁଚରିତା ଜେନାମଣି, ସୋସିଆଲ ମିଡିଆ ସଂଯୋଜିକା ସତରୂପା ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ, ପଦାଧିକାରୀ ଓ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଆଜି ସକାଳେ କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା । ମହିଳାମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଳା ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବାର୍ଷିକ କାର୍ଯ୍ୟକଳାପ ରିପୋର୍ଟକୁ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ବବିତା ପାତ୍ର ଆଗତ କରିଥିଲେ । ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ରାଜନୈତିକ ଚିଠା ପ୍ରସ୍ତାବ ପ୍ରଦାନ କରିଥିଲେ । କାର୍ଯ୍ୟକାରିଣୀରେ ମହିଳାମାନଙ୍କୁ ସ୍ୱୟଂ ସଂପୂର୍ଣ୍ଣା ହେବା ସହ ସଙ୍ଗଠନକୁ ମଜବୁତ କରିବା ପାଇଁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମହିଳାମାନଙ୍କ ଉଦ୍ଦେଶ୍ୟରେ ହୋଇଥିବା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜାନକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ନିଆଯିବ । ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇ ମହିଳାମୋର୍ଚ୍ଚା କାର୍ଯ୍ୟ କରିବ । ପଂଚାୟତ ସ୍ତରରୁ ମହିଳାଙ୍କୁ ସବୁ କ୍ଷେତ୍ରରେ ଆଗ ଧାଡିକୁ ଆଣିବା ପାଇଁ ପ୍ରଯତ୍ନ କରାଯିବ । ସାମାଜିକ ଗଣମାଧ୍ୟମକୁ ସୁବିନିଯୋଗ କରି ରାଜ୍ୟର ମା’ ଭଉଣୀଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ଶ୍ରୀମତୀ ପଟ୍ଟନାୟକ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ରବିବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ମହିଳା ଭୋଟରଙ୍କ ବଡ଼ ଯୋଗଦାନ ରହିଥିବା ବେଳେ ଆଗାମୀ ଦିନରେ ମହିଳାଙ୍କ ନେତୃତ୍ୱରେ ହିଁ ଅପେକ୍ଷିତ ରାଜନୈତିକ ପରିବର୍ତନ ଘଟିବ । ସେଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ତଥା ଦଳର ଢାଂଚାଗତ ବିକାଶ କରିବା ପାଇଁ ମହିଳା ମୋର୍ଚ୍ଚା ନେତୃତ୍ୱ ନେବା ଦରକାର । ମୋଟ ୪୦ ହଜାର ବୁଥରେ ମହିଳାଙ୍କୁ ଏକାଠୀ କରି ଆଗାମୀ ଦିନ ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଉ । ଟେକ୍ନୋଲୋଜିକୁ ଉପଯୋଗ କରି ବୁଥ ସ୍ତରରେ ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଭିଡ଼ିଓ ମାଧ୍ୟମରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁବ୍ୟବସ୍ଥା ପହଁଚାଇବା ସହ ରାଜ୍ୟରେ ଚାଲିଥିବା ଅବ୍ୟବସ୍ଥାର ପ୍ରତିବାଦ ସ୍ୱରୂପ ଉଭୟକୁ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ କରିବା ଜରୁରୀ । ଯେ ପର୍ଯ୍ୟନ୍ତ ସମସ୍ତ ବୁଥରେ ମହିଳା ମାନଙ୍କୁ ଏକାଠି କରାଯାଇ ଟେକ୍ନୋଲୋଜି ମାଧ୍ୟମରେ ମୋଦି ସରକାରଙ୍କ ସୁବ୍ୟବସ୍ଥା ଏବଂ ରାଜ୍ୟରେ ସରକାରଙ୍କ ଅବ୍ୟବସ୍ଥାକୁ ଉପସ୍ଥାପନ କରାଯିବ ନାହିଁ ସେ ପର୍ଯ୍ୟନ୍ତ ଓଡ଼ିଶାର ଅଗ୍ରଗତି ଅସମ୍ଭବ । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସର୍ବଦା ଦେଶର ମାଆ ଓ ଭଉଣୀଙ୍କୁ ସମ୍ମାନ ଦେଇ ଆସିଛନ୍ତି । ମହିଳାଙ୍କୁ ସବୁପ୍ରକାର ସମାନ ସୁଯୋଗ ଦେବା ଓ ସେମାନଙ୍କୁ ସ୍ୱାବଲମ୍ବୀ ସହ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ ହୋଇଛି । ୨୦୧୪ରୁ ମୋଦି ସରକାର କ୍ଷମତା ଗ୍ରହଣ କରିବାର ପ୍ରାରମ୍ଭରୁ ହିଁ ଦେଶର ମାଆ ଓ ଭଉଣୀ ମାନଙ୍କ ଜୀବନରେ ଅଭୁତପୁର୍ବ ପରିବର୍ତନ ଆଣିବା ପାଇଁ ବିହିତ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ ସେମାନଙ୍କ ପରିବାରର ଜୀବନଶୈଳିକୁ ଉନ୍ନତ କରିଛି । ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ମହିଳାଙ୍କ ସମ୍ମାନ ରକ୍ଷା କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ବିଜେପି ସବୁ ସମୟରେ ମହିଳାଙ୍କୁ ଅଗ୍ରାଧିକାର ଦେଇ ଆସିଛି । ତୃଣମୂଳସ୍ତର ଯାଏଁ ମହିଳାମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତାଙ୍କୁ ଅଗ୍ରାଧିକାର ଦେବା ସହ ବିଭିନ୍ନ ସମସ୍ୟାର ସମୀକ୍ଷା କରି ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରିତ କରିବାର ଆବଶ୍ୟକତା ରହିଛି । ବୁଥ ସ୍ତରରୁ ନୂତନ ନେତୃତ୍ୱ ସନ୍ଧାନ କରିବା ଓ ସେମାନଙ୍କୁ ଦଳରେ ସାମିଲ କରିବା ଏବଂ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତାଙ୍କୁ ଏକାଠି ରଖିବା ପାଇଁ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ଶ୍ରୀ ମାନସ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଭାରତର ରାଜନୈତିକ ଦୃଷ୍ଟିକୋଣରୁ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ନିକଟ ଅତୀତରେ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ୧୧ ଜଣ ମହିଳାଙ୍କୁ ଦେଶର ବିଭିନ୍ନ ବିଭାଗରେ ଗୁରୁ ଦାୟୀତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ଏଠି ରାଜ୍ୟ ସରକାର ମହିଳା ସଶକ୍ତିକରଣ ନାଁରେ ମିଶନ ଶକ୍ତି ପ୍ରତିଷ୍ଠା କରି ହୀନ ରାଜନୀତି କରୁଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନକୁ ହଡପ କରି ବାହା ବାହା ନେଉଛନ୍ତି । କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାକୁ ତଦାରଖ କରିବା ପାଇଁ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି
ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭାରତ ବର୍ଷରେ ‘ଉଜ୍ଜଳା’ କୋଟି କୋଟି ମହିଳାଙ୍କ ଆଖିରୁ ଲୁହ ପୋଛି ଦେଇଛି । ଏହା କେବଳ ଧୂଆଁ ଓ ଝାଳରୁ ମୁକ୍ତି ଦେଇନାହିଁ ବରଂ ପ୍ରତ୍ୟେକ ମହିଳାଙ୍କୁ ନିଜ ପାଇଁ କିଛି ସମୟ ଓ ସ୍ୱାସ୍ଥ୍ୟକର ପରିବେଶ ପ୍ରଦାନ କରିଛି । ‘ସ୍ୱଚ୍ଛ ଇନ୍ଧନ ବେହେତର ଜୀବନ’ ଦେବା ସହ ‘ସମୟ ସେ ପେହେଲେ ଲକ୍ଷ୍ୟ ସେ ଜ୍ୟାଦା’ ଉଜ୍ଜଳା ସଂଯୋଗୀକରଣ କରାଯାଇଛି ।

ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶା ମାଟିର ଗର୍ବ ଗୌରବ, ଓଡିଶାର ରତ୍ନ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ଯ୍ୟକାରିଣୀ ଧନ୍ୟବାଦ ଜ୍ଞାପନ କରିଛି । ପ୍ରଥମ କୋଭିଡ ଲହର ସମୟରେ ଯେତେବେଳେ ସମସ୍ତଙ୍କର ମାନସିକ ଅବସ୍ଥା ସହ ସମାଜର ଆର୍ଥିକ ସ୍ଥିତି ଭୂଷୁଡି ପଡିଥିଲା, ସେହି ସମୟରେ ମହିଳାଙ୍କ ପାଖରେ ମାଗଣାରେ ତିନୋଟି ଗ୍ୟାସ ଓ ଜନଧନ ଆକାଉଂଟରେ ୧୫୦୦ ଟଙ୍କା ପଠାଇ ମହିଳାଙ୍କ ଦୁଃସହ ପରିସ୍ଥିତିକୁ ସଶକ୍ତ କରାଯାଇପାରିଥିଲା । ସେଥିପାଇଁ ମହିଳାମୋର୍ଚ୍ଚା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । କୋଭିଡ ସମୟରେ ଯେତେବେଳେ
ଲୋକମାନେ ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ ସେ ସମୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଲକ୍ଷ ଲକ୍ଷ ମାସ୍କ ତିଆରି କରାଯାଇ ବିତରଣ କରାଯାଇଥିଲା । ମାତ୍ର ୯ ମାସର ସମୟସୀମା ମଧ୍ୟରେ ଟିକା ବାହାର କରି ୧୪୦ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇଦେବାର ବ୍ୟବସ୍ଥା କରିବା ସହ କୋଭିଡ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାର ସୁବିଧା କରିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ । କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ପ୍ରଧାନମନ୍ତ୍ରୀ ଦେଶର ୮୦ କୋଟି ଜନତାଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରିଛନ୍ତି ।

ସେହିପରିକୋଭିଡ ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ସେମାନଙ୍କର ଥଇଥାନ ବ୍ୟବସ୍ଥା ଓ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ମାସିକ ସହାୟତା ଯୋଗାଇବାର ବ୍ୟବସ୍ଥା କରି ପ୍ରଧାନମନ୍ତ୍ରୀ ଇତିହାସ ସୃଷ୍ଟି କରିଥିବାରୁ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟପବାଦ ଅର୍ପଣ କରିଛି । ମହିଳାମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଏବଂ ମୋର୍ଚ୍ଚା ସଂପାଦିକା ଶ୍ରୀମତୀ ଜୟଲକ୍ଷ୍ମୀ ମହାନ୍ତି ଏହାକୁ ସମର୍ଥନ କରିଥିଲେ । ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଲ୍ଲିକ ସୂଚନା ପ୍ରଦାନ କରିଥିଲେ । ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ଶ୍ରୀମତୀ କଳ୍ପନା ଲେଙ୍କା କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love