ଯେଉଁଠିଜଣେ ମହିଳା ଖେଳାଳି ସୁରକ୍ଷିତ ନୁହେଁ ସେଠି ସାଧାରଣ ମହିଳା କିପରି ସୁରକ୍ଷିତ ରହିପାରିବେ ? : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର,ତା.୧୫/୦୧: ରାଜ୍ୟରେ ଖେଳକୁ ପ୍ରୋତ୍ସହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳୀଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା କରୁନାହାନ୍ତି କି ଓଡ଼ିଶାର ଖେଳମନ୍ତ୍ରୀ ତୁଷାରକାନ୍ତୀ ବେହେରା ମଧ୍ୟ କିଛି ପଦକ୍ଷେପ ନନେବା ଲଜ୍ଜ୍ୟା ଓ ପରିତାପର ବିଷୟ । ନବୀନ ବାବୁ ଖେଳକୁ ଢାଲ କରି ଲୋକଙ୍କୁ ଭୂଆଁ ବୁଲାଇ କୋଟି କୋଟି ଟଙ୍କା ଖାଉଛନ୍ତି । ଯାହାର ଚିତ୍ର ଆପଣଙ୍କ ସାମ୍ନାରେ ଜଳ ଜଳ ହୋଇ ଦେଖାଯାଉଛି । ଓଡ଼ିଶାର ଗର୍ବ ଗୌରବକୁ ବୃଦ୍ଧି କରାଇଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଅକାଳ ମୃତ୍ୟୁ ଆମ ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଗତ ୧୦ତାରିଖ ରାଜଶ୍ରୀ ନିଖୋଜ ହୋଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଥିଲେ ବି ପୋଲିସ ବିଭାଗ ଓ ଓସିଏ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ । ରାଜଶ୍ରୀଙ୍କ ନିଖୋଜର ୨ ଦିନ ପରେ ବି ପରିବାର କିମ୍ବା ପୋଲିସ ଓସିଏ କତୃପକ୍ଷ ଜଣାଇଲେ ନାହିଁ । ଶେଷରେ ୧୩ ତାରିଖ ଦିନ କଟକ ଜିଲ୍ଲା ଆଠଗଡ ଅଂଚଳର ଗୁରୁଡିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ହେବା ପରେ ତତ୍ପରାତର ସହ ତଦନ୍ତ ହୋଇଥିଲେ ରାଜଶ୍ରିର ମୃତ୍ୟୁ ହୋଇନଥାନ୍ତା ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଗତ କାଲି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ନେତୃତ୍ୱରେ ମୃତ ରାଜଶ୍ରୀଙ୍କ ଗାଁ କୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ମୃତ ରାଜଶ୍ରୀଙ୍କ ବାପା, ମା ଓ ପରିବାର ସଦସ୍ୟମାନେ ଭୟର ବାତାବରଣରେ ଅଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଆଦୈା ସମ୍ବେଦନଶୀଳ ନୁହନ୍ତି । ରାଜଶ୍ରୀର ସଂପର୍କରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡାମନ୍ତ୍ରୀଙ୍କୁ ଫୋନ କରି ହସ୍ତକ୍ଷେପ କରିବା ପାଇଁ ପରିବାର ତରଫରୁ ନିବେଦନ କରାଯାଇଥିଲେ ସୁଦ୍ଧା, ସେ ହକି ଖେଳ ପାଇଁ ବ୍ୟସ୍ତ ଅଛନ୍ତି ବୋଲି କହି ଫୋନ କାଟି ଦେଇଥିଲେ । ଖେଳ ନୁହେଁ ବରଂ ଭାବମୂର୍ତି ହରାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଳିନ ଚେହେରାକୁ ଉଦ୍ଧାର କରିବା ପାଇଁ ବ୍ୟସ୍ତ ଥିବା ରାଜ୍ୟର କ୍ରୀଡାମନ୍ତ୍ରୀଙ୍କ ପାଖରେ ନିଜ ଅଂଚଳର ଜଣେ ରାଜ୍ୟସ୍ତରୀୟ ମହିଳା ଖେଳାଳୀଙ୍କ ପାଇଁ ସମୟ ନଥିଲା । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟ ସରକାରଙ୍କ ମା ଓ ଭଉଣୀଙ୍କ ସମ୍ମାନର ନାରା ପ୍ରତି ଶକ୍ତ ଧକ୍କା ଅଟେ । ଯେଉଁ ରାଜ୍ୟରେ ଜଣେ ମହିଳା ଖେଳାଳି ସୁରକ୍ଷିତ ନୁହେଁ ସେଠି ସାଧାରଣ ମହିଳା କିପରି ସୁରକ୍ଷିତ ରହିପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ରାଜଶ୍ରୀର ନିଖୋଜ ହେବା ପରେ ପୋଲିସ ତଥା ପରିବାରବର୍ଗଙ୍କୁ ଅବଗତ କରାଗଲା ନାହିଁ କାହିଁକି ଏବଂ ଏଥି ପାଇଁ ଦାୟୀ କିଏ ? ଗୋଟିଏ ପଟେ ଖେଳକୁ ପ୍ରୋତ୍ସାହନ ଦେବା କଥା କହି ଅପର ପକ୍ଷରେ ମହିଳା ଖେଳାଳୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର କାହିଁକି ଏତେ ଅସମ୍ବେଦନଶୀଳ ? ରାଜଶ୍ରୀଙ୍କ ପରିବାରବର୍ଗର ଅଭିଯୋଗ ପରେ ମୃତ୍ୟୁ ପାଇଁ ଦାୟୀ ବୋଲାଉଥିବା ଓସିଏ କତୃପକ୍ଷ କିଏ ଏବଂ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ? ରାଜଶ୍ରୀ ରହୁଥିବା ହୋଟେଲର କଥା କେଉଁ କତୃପକ୍ଷ ବୁଝୁଥିଲେ ? ଏ ସମସ୍ତ ପ୍ରଶ୍ନର ଉତର ସାମ୍ନାକୁ ଆସିବା ଉଚିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ମହିଳାଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ୨୩ ବର୍ଷର ରାଜ୍ୟ ସରକାରଙ୍କ ସମୟ ମହିଳା ଆକ୍ରମଣ, ବଳତ୍କାର, ମହିଳା ଚାଲଣ, ଅପହରଣ, ଶିଶୁ ଅପହରଣ ଓ ଅପରାଧ ତାର କାୟା ବିସ୍ତାର କରିଛି । ସାଧାରଣ ମହିଳାଙ୍କଠାରୁ ଆରମ୍ଭ କରି ମହିଳା ତହସିଲଦାର୍‌, ପୋଲିସ ଏସଆଇ, ମହିଳା କର୍ମଚାରୀ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବର୍ତମାନ ଏହି ତାଲିକାରେ ମହିଳା ଖେଳାଳୀମାନେମାନେ ମଧ୍ୟ ସାମିଲ ହୋଇଗଲେ । ଏହି ଘଟଣା ଅତ୍ୟନ୍ତ ଲଜ୍ଜା ଓ ଗଭୀର ଚିନ୍ତାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ମହିଳା ସୁରକ୍ଷା ପ୍ରସଙ୍ଗ ଆସିଲେ, ମହିଳା ବିରୋଧୀ ଏବଂ ସମ୍ବେଦନହୀନ ରାଜ୍ୟ ସରକାର ନିଜକୁ ଧଳା ଚାଦର ଭିତରେ ଘୋଢେଇ ହୋଇ ନିଜ ଦାୟୀତ୍ୱରୁ ଖସି ଯିବାର ଅପପ୍ରୟାସ ବାରମ୍ବାର କରିଆସୁଛନ୍ତି । ଅତୀତରେ ମମିତା ମେହେର, ନିମାପଡାର ଧର୍ମେନ୍ଦ୍ର ସାହୁ, ପରୀ, ପିହୁ, ସ୍ମିତାରଣୀ ଭଳି ଅନେକ ଲୋମହର୍ଷଣକାରୀ ହତ୍ୟା ଘଟଣା ଓଡିଶାବାସୀଙ୍କ ମନ ଭିତରୁ ଯାଇନାହିଁ । ଯଥାଶୀଘ୍ର ରାଜ୍ୟ ସରକାର ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।
ଏହି ଅବସରରେ ବିଜେପି ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ଓ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ସୁଭାଶିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love