ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ

ପୁରୀ, ୨୩/୦୫: ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ଗରାବଡୁ ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ଆସନ୍ତା ୨୯ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ଲାଗି ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ସେବା କରୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ । ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଛି। ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।

ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ ଏ ନେଇ ନିଷ୍ପତି ହୋଇଛି । ସୂଚନାଯୋଗ୍ୟ ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଶ୍ରୀଜିଉଙ୍କ ସ୍ନାନ ପାଇଁ ଗରାବଡୁ ସେବାୟତମାନେ ୧୦୮ ଗରା ସୁବାସିତ ଜଳ ଆଣି ଶ୍ରୀଜିଉଙ୍କୁ ସ୍ନାନ କରାଇଥାନ୍ତି ।

ଏହି ଗରାବଡୁ ସେବାୟତମାନଙ୍କର କରୋନା ଟେଷ୍ଟ ସହ କିପରି ସେମାନେ ଦେବସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେଥଇପାଇଁ ମଧ୍ୟ ସଚେତନ କରାଯାଇଛି। ଏହାସହ ମୁହଁରେ ମାସ୍କ ପିନ୍ଧି ଗରାବଡୁ ସେବାୟତ ୧୦୮ ଗରା ଜଳ ନେଇ ଆସିବେ ବୋଲି ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Spread the love