ମହିଳା ବନ୍ଧୁଙ୍କୁ ପାଇଲଟ କକପିଟକୁ ନେବା ଘଟଣାରେ ଏୟାର ଇଣ୍ଡିଆ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଡ଼ିଜିସିଏ

ନୂଆଦିଲ୍ଲୀ: ପାଇଲଟଙ୍କ ଭୁଲ ଯୋଗୁଁ ଏୟାର ଇଣ୍ଡିଆ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଡ଼ିଜିସିଏ | ବାସ୍ତବରେ ଏୟାର ଇଣ୍ଡିଆର ଦୁବାଇ-ଦିଲ୍ଲୀ ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟ ଭିତରକୁ ଯିବାକୁ ଅନୁମତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି। ସିଇଓଙ୍କ ବ୍ୟତୀତ ଏୟାର ଇଣ୍ଡିଆର ସୁରକ୍ଷା ମୁଖ୍ୟ ହେନେରୀ ଡୋନୋହୋଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ପିଟିଆଇ ଅନୁଯାୟୀ ରବିବାର ଦିନ ଡିଜିସିଏର ଜଣେ ଅଧିକାରୀ କହିଛନ୍ତି ଯେ ଏୟାର ଇଣ୍ଡିଆର ସିଇଓ ଓ ବିମାନ ସୁରକ୍ଷା ମୁଖ୍ୟଙ୍କୁ ଘଟଣା ସମ୍ପର୍କରେ ନ ଜଣାଇବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

କମ୍ପାନୀ ଦ୍ୱାରା ମାମଲାର ତଦନ୍ତରେ ମଧ୍ୟ ବିଳମ୍ବ ହୋଇଛି। ଉଭୟ ଅଧିକାରୀଙ୍କୁ ନୋଟିସର ଜବାବ ଦେବାକୁ ୧୫ ଦିନ ସମୟ ଦିଆଯାଇଛି। ଉଲ୍ଲେଖ ଥାଉ କି ବାସ୍ତବରେ ବିମାନର ଜଣେ କ୍ୟାବିନ କ୍ରୁ ସଦସ୍ୟ ଏହି ଘଟଣାକୁ ନେଇ ଡିଜିସିଏ ନିକଟରେ ଅଭିଯୋଗ କରିଥିଲେ ଯେ ପାଇଲଟ ଜଣେ ମହିଳା ବନ୍ଧୁଙ୍କୁ କକପିଟରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଏହି ଘଟଣା ଫେବୃୟାରୀ ୨୭ରେ ଘଟିଥିଲା | ପାଇଲଟଙ୍କ ବ୍ୟତୀତ କୌଣସି ଯାତ୍ରୀଙ୍କୁ କକପିଟ ଭିତରକୁ ଯିବାକୁ ଅନୁମତି ନଥିବାବେଳେ ପାଇଲଟ ଜଣକ କାହିଁକି ନେଲେ ସେନେଇ କ୍ରୁ ସଦସ୍ୟ ଆପତ୍ତି ଉଠାଇଥିଲେ |

Spread the love