ପାଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ନିର୍ମାଣ କାର୍ଯ୍ୟ ବଢାଇ ଚାଲିଛି ଚୀନ

ନୂଆଦିଲ୍ଲୀ ୨୧।୧୨: ନୂଆ ସାଟେଲାଇଟ ଇମେଜରୁ ଜଣା ପଡୁଛି ପାଙ୍ଗୋଙ୍ଗ ସୋ ହ୍ରଦ ଉତ୍ତର ପଟେ ଚୀନ ତାର ନିର୍ମାଣ କାର୍ଯ୍ୟକୁ ବଢ଼ାଇ ଚାଲିଛି। ଜଣେ ବିଦେଶୀ ସାମ୍ବାଦିକ ଜ୍ୟାକ ଡେସ ତାଙ୍କ ଟ୍ବିଟର ପେଜରେ ଏନେଇ ଉଲ୍ଲେଖ କରିବା ସହିତ ସାଟେଲାଇଟ ଇମେଜ ଦେଇଛନ୍ତି।  ଏବେ ସେଠାରେ ଭାରତ ଓ ଚୀନ ସୈନିକ ଏଭଳି ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଯେ କେତେବେଳେ ବି ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ପାଙ୍ଗଙ୍ଗ ସୋ ହ୍ରଦ, ଯେଉଁଠାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି।  ଗଲୱାନ ସଂଘର୍ଷରେ ୨୦ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା, ଚୀନର କେତେ ସୈନ୍ୟ ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହେଲାନି। ସେହିପରି ପାଙ୍ଗୋଙ୍ଗ ସୋ ନିକଟରେ ବାରମ୍ବାର ମୁହାଁମୁହିଁ ହୋଇଛନ୍ତି ଦୁଇଦେଶର ସୈନ୍ୟ।  ଗଲୱାନ ଘଟଣା ପରେ ଦୁଇ ଦେଶ ବାରମ୍ବାର, ପର୍ଯ୍ୟାୟ ପରେ ପର୍ଯ୍ୟାୟ ଆଲୋଚନା କରି ସୈନ୍ୟ ଅପସରାଣ ପାଇଁ ରାଜି ହୋଇଛନ୍ତି। ହେଲେ ଚୀନର କଥା ଗୋଟାଏ କାମ ଆଉ ଗୋଟାଏ।

ସାଟେଲାଇଟ ଇମେଜରୁ ଜଣାପଡୁଛି ପାଙ୍ଗୋଙ୍ଗ ସୋର ଉତ୍ତର ଭାଗରେ ଫିଙ୍ଗର ଏଇଟ ବା ସିରିଜାପ ନିକଟରେ ଚୀନ ତାର କାୟା ବିସ୍ତାର କରିବାରେ ଲାଗିଛି। ବୋଟ ବାହିନୀ ପାଇଁ ଜେଟି ତିଆରି କରିଛି, ଆକାଶ ବାହିନୀ ପାଇଁ ହେଲିପ୍ୟାଡ ପ୍ରସ୍ତୁତ କରିଛି ଏଥିସହିତ ବହୁ ସଂଖ୍ୟାରେ ସ୍ଥାୟୀ ନିର୍ମାଣ ତିଆରି କରିଛି, ଯେଉଁଥିରେ ଚୀନର ସୈନ୍ୟ କାର୍ଯ୍ୟକଳାପ ଜାରି ରହିଛି। ବିଦେଶୀ ସାମ୍ବାଦିକ ଜ୍ୟାକ ଡେସ ତାଙ୍କ ଟ୍ବିଟର ପେଜରେ ଏନେଇ ଉଲ୍ଲେଖ କରିଛନ୍ତି।

ଆମେରିକାର ମାକ୍ସାର ଟେକ୍ନୋଲୋଜି ଏହି ଫଟୋ ଅକ୍ଟୋବର ମାସରେ ନେଇଥିଲା। ଯେଉଁଥିରୁ ଜଣାଯାଉଛି ଯେ  ପାଙ୍ଗଙ୍ଗ ସୋର ଯେଉଁ ଅଞ୍ଚଳକୁ ନେଇ ଭାରତ ଚୀନ ମଧ୍ୟରେ ବିବାଦ ଦେଖାଦେଇଥିଲା ତାହା ଏବେବି ଚୀନ ନିୟନ୍ତ୍ରଣରେ ରହିଛି। ଏମିତିକି ଫେବୃଆରୀ ଫଟୋ ଓ ଅକ୍ଟୋବର ଫଟୋ ମଧ୍ୟରେ ପାର୍ଥକ୍ୟ ଦେଖିଲେ ସ୍ପଷ୍ଟ ଜାଣି ହେଉଛି ଚୀନ ତାର ନିର୍ମାଣ କାର୍ଯ୍ୟ ଜାରି ରଖିଛି।  ପୂର୍ବରୁ ଚୀନ ସେନା ଫିଙ୍ଗର ଫାଇଭ ଯାଏଁ ମାଡ଼ି ଆସି ସେଠାରେ ହେଲିପ୍ୟାଡ ତିଆରି କରିଥିଲା।

କିନ୍ତୁ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଚୀନ ଫିଙ୍ଗର ଫାଇଭରୁ ତାର ହେଲିପ୍ୟାଡକୁ ହଟାଇଥିଲା ସତ କିନ୍ତୁ ଫିଙ୍ଗର ୮ ନିକଟରେ ଚୀନ ହେଲି ପ୍ୟାଡ ନିର୍ମାଣ କରିଛନ୍ତି। ଏମିତିକି ଫିଙ୍ଗର ଫାଇଭ ନିକଟରେ ଚୀନ ତାର ବୋଟ ଚଳାଚଳ ପାଇଁ ଏକ ଜେଟି ମଧ୍ୟ ତିଆରି କରିଛି। ଫିଙ୍ଗର ଫୋର ଅଞ୍ଚଳରେ ଭାରତ ତାର ସୈନ୍ୟ ଠୁଳ କରିଛି। ଆଉ ଏହାର ନିକଟରେ ଚୀନ ତାର ସୈନ୍ୟ ବୃଦ୍ଧି କରିବା ସହିତ ଭିତ୍ତିଭୂମି ବଢ଼ାଇବାରେ ଲାଗିଛି ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

Spread the love