୧୪ ବର୍ଷରେ ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଅୟମାରମ୍ଭ ହୋଇଥିଲା ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ବିଶ୍ୱବିଦ୍ୟାଳୟର । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି ଡିମଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉକ୍ରର୍ଷ ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସୋଆରେ ଶିକ୍ଷିତ ହୋଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିଛନ୍ତି । ନିଜ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆର ମନ୍ତ୍ର ହେଉଛି ‘କେବଳ ଚାକିରି ଖଣ୍ଡେ ପାଇବା ପାଇଁ ଡିଗ୍ରୀ ଆହରଣ କର ନାହିଁ ବରଂ ଜ୍ଞାନ ଆହରଣ କରି ସମାଜକୁ ଉଚିତ୍ ପଥରେ ଆଗେଇ ନେବାକୁ ସାହାଯ୍ୟ କର ।’

ଓଡ଼ିଶାରେ ଉଚ୍ଚକୋଟୀର ବୈଷୟିକ ଶିକ୍ଷା ପ୍ରଦାନ ନେଇ ଜଣେ ଶିକ୍ଷକଙ୍କର ସ୍ୱପ୍ନ ଓ ପରିକଳ୍ପନାର ସଫଳ ରୂପାୟନ ହେଉଛି ସୋଆ । ପ୍ରଫେସର ମନୋଜରଞ୍ଜନ ନାୟକ ଯିଏକି ଓଡ଼ିଶାର ଯୁବକଯୁବତୀମାନଙ୍କୁ ଉତମ ବୈଷୟିକ ଶିକ୍ଷାପ୍ରଦାନ ନେଇ ସ୍ୱପ୍ନ ଦେଖିଥିଲେ ସେ ନିଜେ ଜଣେ ବିଚକ୍ଷଣ ଛାତ୍ର ଥିଲେ । ରାଉରକେଲାର ରିଜିଓନାଲ୍ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ପରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡଗପୁରରୁ ଏମ୍.ଟେକ୍ କରିଥିବା ପ୍ରଫେସର ନାୟକ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଥିଲେ ତାଙ୍କରି ପ୍ରଚେଷ୍ଟା ବଳରେ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ (ୟୁଜିସି) ଆକ୍ଟର ଧାରା ୩ , ୧୯୫୬ ଆଧାରରେ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ସେବେଠାରୁ ହିଁ ଏକ ବୃତିଗତ ଶିକ୍ଷା ପ୍ରୟୋଗଶାଳା ଏବଂ ଗବେଷଣାର ଉତ୍ସ ଭାବେ ସୋଆ ଆଗକୁ ବଢ଼ି ଚାଲିଛି । ଭାରତ ସମେତ ୬ଟି ଦେଶର ପ୍ରାୟ ୧୨୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସୋଆକୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ମନୋନୀତ କରିଛନ୍ତି ।

ମାତ୍ର ୧୩ ବର୍ଷରେ ହିଁ ଏହି ଡିମଡ ବିଶ୍ୱବିଦ୍ୟାଳୟଟି ବିଗତ ୫ ବର୍ଷ ଧରି କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପରିଚାଳିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ୍) ରାଙ୍କିଙ୍ଗରେ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଚଳିତ ବର୍ଷ ୨୦ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନ ହାସଲ କରିବା ସହ ଓଡ଼ିଶାରେ ଶୀର୍ଷତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି ।

ନ୍ୟାସନାଲ୍ ଆସେସମେଣ୍ଟ ଆଣ୍ଡ ଆକ୍ରେଡିସନ୍ କାଉନସିଲ୍ (ନାକ୍) ସୋଆକୁ ସର୍ବୋଚ୍ଚ ଗ୍ରେଡରେ ରି-ଆକ୍ରେଡିଟେଟ୍ କରିଥିବା ବେଳେ ଏହାର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)କୁ ଆମେରିକାର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମାନ୍ୟତା ପ୍ରଦାନକାରୀ ସଂସ୍ଥା ଆକ୍ରେଡିସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ( ଆବେଟ୍) ଦ୍ୱାରା ଆକ୍ରେଡିଟେସନ୍ ମିଳିଛି । ସୋଆର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏନ୍ଆଇଆର୍ଏଫ୍-୨୦୨୦ ରାଙ୍କିଙ୍ଗରେ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଦେଶରେ ୩୪ତମ ସ୍ଥାନ ହାସଲ କରିଛି । ସେହିପରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସୋଆ ନିଜର ସ୍ଥିତି ଜାହିର କରିଛି । ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗରେ ସୋଆ ସ୍ଥାନୀତ ହୋଇପାରିଛି ।

ସେହିପରି ଚଳିତବର୍ଷ ଏନଆଇଆର୍ଏଫ୍ ରାଙ୍କିଙ୍ଗରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି । ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ତାଲିକାରେ ଦେଶର ୯ଟି ମେଡିକାଲ୍ କଲେଜ ମଧ୍ୟରେ ଆଇଏମଏସ୍ ମଧ୍ୟ ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିଛି । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନସେସ୍ , ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ , ପ୍ରଥମ ଥର ପାଇଁ ଏନଆଇଆରଏଫ୍ ର‌୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ବେଳେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।୧୬୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ବହୁ ପ୍ରତିକ୍ଷୀତ ଟୀକାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି ।

ଭାରତ ସମେତ ସାରା ବିଶ୍ୱ କୋଭିଡ-୧୯ ମହାମାରୀ ସହ ଯୁଦ୍ଧ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ ସୋଆ ମଧ୍ୟ ଏହି ଯୁଦ୍ଧରେ ସାମିଲ ହୋଇଛି । ସୋଆ ପକ୍ଷରୁ ତିନୋଟି କୋଭିଡ-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିବା ବେଳେ ଦୁଇଟି କୋଭିଡ କେୟାର୍ ସେଂଟର ମଧ୍ୟ ଆରମ୍ଭ କରାଯାଇଛି ।
ଭୁବନେଶ୍ୱରରେ ଏକ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଏବଂ ତାଳଚେରରେ ୧୭୦ ଏବଂ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ମାନେ ଏହି ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସେହିପରି ସୋଆ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଏବଂ ଜଟଣୀରେ ମୋଟ ୮୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଂଟର ଆରମ୍ଭ କରାଯାଇଛି ।
ସୋଆର ସ୍ୱପ୍ନ ରହିଛି ଅଗ୍ରଣୀ ଅନୁଷ୍ଠାନ ଭାବେ ଶିକ୍ଷାର ଉନ୍ନତି କ୍ଷେତ୍ରରେ ଅଧିକ ମନୋନିବେଶ କରିବା ଏବଂ ଆଗାମୀ ଭବିଷ୍ୟତଙ୍କୁ ଉନ୍ନତମାନର ଶିକ୍ଷା ଓ ନୂତନ ଧରଣର ଗବେଷଣା ପ୍ରତି ଆକୃଷ୍ଟ କରି ଦେଶରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିଷ୍ଠିତ କରିବା । ମାତ୍ର ମୂଳ ଲକ୍ଷ୍ୟ ରହିଛି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରାଇ ସେମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଆଣିବା ଏବଂ ଉତମ ନାଗରିକ ଭାବେ ଗଢ଼ିତୋଳିବା । ଏହା ଦ୍ୱାରା ସାମାଜିକ ସ୍ଥିତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତନ ସମ୍ଭବ ହୋଇପାରିବ ।

ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସଙ୍କ ଶୁଭେଚ୍ଛା

 

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏଭଳି ଏକ ନାମ ଯେଉଁଠି ଉତ୍କର୍ଷ ହିଁ ଏକମାତ୍ର ମନ୍ତ୍ର । ମାତ୍ର ୧୧୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୧୯୯୬ ମସିହାରେ ଏକ ଇଞ୍ଜିନିୟରିଂ କଲେଜରୁ ଯାତ୍ରା ଆରମ୍ଭ କରିଥିବା ସୋଆ ବିଶ୍ୱବିଦ୍ୟାଳୟ ଲମ୍ବା ପଥ ଅତିକ୍ରମ କରିଛି । ଭାରତର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିପାରିଛି । ବିଶ୍ୱର କଲ୍ୟାଣ ପାଇଁ ନାଗରିକ ସୃଷ୍ଟି କରିବା ହିଁ ସୋଆର ମୂଳ ଉଦ୍ଦେଶ୍ୟ । ସୋଆର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଏହା କହିଛନ୍ତି ।

ଜୁଲାଇ ୧୭ ତାରିଖ ୨୦୦୭ ମସିହାରେ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ସୋଆ ୧୩ ବର୍ଷ ଅତିକ୍ରମ କରି ୧୪ ବର୍ଷରେ ପଦାର୍ପଣ କରିଛି। ଏହି ଖୁସିର ମୁହୂର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡ. ଦାସ । ପ୍ରଫେସର ଦାସ ନିଜ ବାର୍ତ୍ତାରେ କହିଛନ୍ତି, ଭାରତର ୨୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ ସ୍ଥାନ ପାଇବା ପରେ ନିଜକୁ ବହୁତ ଗର୍ବିତ ଲାଗୁଛି। ଦୀର୍ଘବର୍ଷ ଧରି ସୋଆ ପରିବାର ସହ ମୁଁ ଜଡିତ । ଦୃଢ଼ତା ଓ ଗର୍ବର ସହ କହୁଛି ଏହି ସଫଳତାର ଶ୍ରେୟ ସୋଆର ସମସ୍ତ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କର।

ସେ ଆହୁରି କହୁଛନ୍ତି, ଯେଉଁ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ଉଦ୍ୟମ ଫଳରେ ସୋଆର ସଫଳ ରୂପାୟନ ହୋଇପାରିଛି ସେହି ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ। ତାଙ୍କ ନିକଟରେ ସୋଆ ପରିବାର ନତମସ୍ତକ ହେଉଛି। ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀର କଳାବାଦଲ ଛାଇ ହୋଇ ରହିଛି। ଏହା ଖୁବ୍‌ଶୀଘ୍ର ହଟିବ ବୋଲି ଆମେ ସମସ୍ତେ ଆଶାବାଦୀ। ତେବେ ଏହି ଯୁଦ୍ଧର ମୁକାବିଲା କରିବା ସହ ଆମକୁ ସଚେତନ ରହିବାକୁ ପଡବି। ଏହି ଅବସରରେ ଡ. ଦାସ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ଏହି ସମୟରେ ସୁସ୍ଥ ରହିବା ସହ ସୁରକ୍ଷିତ ଓ ସଚେତନ ରୁହନ୍ତୁ । ମହାପ୍ରଭୁ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କରନ୍ତୁ।

Spread the love