ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଏପ୍ରିଲ ୯ରୁ ୫-ଦିନିଆ “ପଖାଳ ଉତ୍ସବ” ଆରମ୍ଭ
ଭୁବନେଶ୍ୱର, ୭ ଏପ୍ରିଲ : ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ଓଡ଼ିଶାରେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍ ) ପକ୍ଷରୁ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି । ପାଂଚ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ପଖାଳ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । ପଖାଳ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏହା ଶ୍ରୀମନ୍ଦିରରେ ଭୋଗ ଲାଗିଥାଏ । ନେପାଳ, ବାଂଲାଦେଶ ଓ ମିଆଁମାର ଭଳି ଦେଶଗୁଡ଼ିକରେ ମଧ୍ୟ ଲୋକମାନେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି ।
ଅତିଥିମାନଙ୍କୁ ଏସ୍ଏଚ୍ଏମ୍ରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀ ମାନେ ହିଁ ସଂଚାଳନ କରିବେ । ଏହି ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ରହିଛି । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ମାଛ ଭଜା, ମାଛ କାଲିଆ, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ଇତ୍ୟାଦି ପରିବେଷଣ କରାଯିବ ।