ମଳିପଡ଼ା ଗ୍ରାମରେ ସୋଆ ଆଇଟିଇଆର ଏନ୍‌ଏସ୍‌ଏସ୍ ୟୁନିଟ ପକ୍ଷରୁ ୭ ଦିନିଆ ବିଶେଷ ଶିବିର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏନ୍‌ଏସ୍‌ଏସ୍ ୟୁନିଟ ଦ୍ୱାରା ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ନିକଟସ୍ଥ ମଳିପଡ଼ା ଗ୍ରାମରେ ଏକ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଅକ୍ଟୋବର ୨୩ ରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍‌ରର ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରି ଏନଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ସମାଜ ସେବା ପ୍ରତି ନିଷ୍ଠା ଓ ଉତ୍ସାହକୁ ପ୍ରଶଂସା କରିଥିଲେ । ଏଭଳି ଶିବିର ଯୁବ ସଂପ୍ରଦାୟ ମଧ୍ୟରେ ନେତୃତ୍ୱ, ଏକତା ଓ ସାମାଜିକ ଜାଗୃତି ସୃଷ୍ଟି କରିପାରିବ ବୋଲି ପ୍ରଫେସର ସାହୁ କହିଥିଲେ ।
ଏନଏସଏସ୍ ପ୍ରୋଗ୍ରାମ କୋଅର୍ଡିନେଟର (ସୋଆ ୟୁନିଭର୍ସିଟି) ଡକ୍ଟର କମଳ ଲୋଚନ ମହାନ୍ତ ସ୍ୱେଚ୍ଛାସେବୀମାନଙ୍କୁ ମଳିପଡ଼ା ଗ୍ରାମର ଲୋକମାନଙ୍କ ଆବଶ୍ୟକତା ନିମନ୍ତେ ନୂଆ ଭାବନା ଓ ସୃଜନଶୀଳ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପ୍ରେରିତ କରିଥିଲେ । ସେ ଗ୍ରାମର ପରିବେଶ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁଧାର ନିମନ୍ତେ ସାମୁହିକ ଚେଷ୍ଟା ଉପରେ ଜୋର ଦେଇଥିଲେ ।
ଏନଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଡାକ୍ତର କନକଲତା ଓଝା, ଡକ୍ଟର ଶିବ ପ୍ରସାଦ ତ୍ରିପାଠୀ ଏବଂ ଶ୍ରୀମତି ପଦ୍ମଜା ପଟେଲ ସ୍ୱେଚ୍ଛାସେବୀମାନଙ୍କୁ ଏହି ୭ ଦିନରେ କିପରି ବିଭିନ୍ନ ସାମାଜିକ ଓ ପରିବେଶମୂଳକ କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ଦିଗଦର୍ଶନ ଦେଇଥିଲେ। ଶିବିରର ପ୍ରଥମ ଦିନ ସମସ୍ତ ଏନଏସଏସ୍ ସ୍ୱେଚ୍ଛାସେବୀ ମଳିପଡ଼ା ଗ୍ରାମର ପ୍ରତ୍ୟେକ ଘର ବୁଲି ଶିକ୍ଷା ଓ ସାମାଜିକ-ଆର୍ôଥକ ସର୍ଭେ କରିଥିଲେ । ସେମାନେ ଗ୍ରାମବାସୀଙ୍କର ଦୈନିକ ଆବଶ୍ୟକତା, ସମସ୍ୟା ଆଦି ବିଷୟରେ ବୁଝିବା ସହ ଡାକ୍ତର ଓଝା ସ୍ୱେଚ୍ଛାସେବୀଙ୍କ ସହ ଗ୍ରାମର ଏକ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ଆଲୋଚନା କରିଥିଲେ । ଏହି ଶିବିରରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ଶିବିର, ଶିକ୍ଷା ଓ ସଚେତନତା ରାଲି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଏଭଳି ଶିବିର ଆଗାମୀ ଦିନଗୁଡ଼ିକର କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରିବ ।

Spread the love