ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ ଗବେଷଣାର ସୁଯୋଗ ରହିଛି: ବିଶେଷଜ୍ଞ

ଭୁବନେଶ୍ୱର, ୭/୦୮: ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହା
ସମ୍ଭବ ହୋଇନାହିଁ । ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନା
ଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।
ପର୍ଯ୍ୟଟନ ଏବଂ ହୋଟେଲ୍ କ୍ଷେତ୍ରରେ ଖୁବ୍ କମ୍ ଗବେଷଣା କରାଯାଇଥିବା ଦୃଷ୍ଟିରୁ ଶୈକ୍ଷିକ କାର୍ଯ୍ୟ ଏବଂ ଗବେଷଣା ମଧ୍ୟରେ ଏକ ସଂଯୋଗ ଜରୁରୀ ହୋଇ ପଡ଼ିଛି ବୋଲି କହିଛନ୍ତି ୟୁକେର ୟୁନିଭର୍ସିଟି ଅଫ୍ ବ୍ରାଇଟନ୍‌ର ମାର୍କେଟିଂ ଆଣ୍ଡ ରେସପନ୍‌ସିବୁଲ୍
ଏଂଟର୍‌ପ୍ରାଇଜ୍ ବିଭାଗର ପ୍ରଫେସର ସୁନୀଲ୍ ଶାଦେବ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍
ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଆୟୋଜିତ ଏକ ସପ୍ତାହ ବ୍ୟାପି ଅନ୍‌ଲାଇନ୍ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମର
ଉଦ୍‌ଘାଟନୀ ଉତ୍ସବ ଅବସରରେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ଶାଦେବ । କରୋନା ଭାଇରସ୍ ମହାମାରୀର ଆତଙ୍କ ଏବେ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବାବେଳେ ଗବେଷକମାନେ ବିପର୍ଯ୍ୟୟ
ଯୋଜନା ଏବଂ କ୍ଷତି ପରିଚାଳନା ଦିଗରେ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟିର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ
ବର୍ତମାନ ପରିସ୍ଥିତିରେ ଶିକ୍ଷକମାନେ ଗବେଷଣା ଉପରେ ଅଧିକ ମନୋନିବେଶ କରିବା ଜରୁରୀ ବୋଲି ମତ ଦେଇ ସେମାନେ
ସେମାନଙ୍କର ଜ୍ଞାନର ପରିସୀମାକୁ ମଧ୍ୟ ବଢ଼ାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । କଷ୍ଟ ଉପାୟରେ ହିଁ ଜ୍ଞାନ ଆହରଣ ହୋଇଥାଏ । ଶିକ୍ଷା ଗ୍ରହଣ ପ୍ରକ୍ରିୟାର କୌଣସି ଅନ୍ୟ ସହଜ କିମ୍ବା ବିକଳ୍ପ ଉପାୟ ନାହିଁ ବୋଲି ସେ କହିଛନ୍ତି ।
ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି ଅବସରରେ କହିଛନ୍ତି ଯେ ଶିକ୍ଷା ଗୋଟିଏ ପିଢ଼ିରୁ ଅନ୍ୟ ଏକ
ପିଢ଼ିକୁ ହସ୍ତାନ୍ତରିତ ହୋଇଥାଏ । ସେ ମଧ୍ୟ ଏହି ଅବସରରେ ଗବେଷଣା ଉପରେ ଜୋର୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁମ୍ବାଇସ୍ଥିତ ଏସିଆ ପାସିଫିକ୍ ଏମ୍‌ଏମ୍‌ଆର୍ ରିସର୍ଚ୍ଚ ୱାର୍ଲ୍ଡୱାଇଡ୍‌ର କଂଟ୍ରି ହେଡ୍ ତଥା ରିସର୍ଚ୍ଚ ଡାଇରେକ୍ଟର୍ ଶ୍ରୀ
ସନ୍ଦୀପ୍ ବୁଦ୍ଧିରାଜା ପ୍ରଥମେ ଗବେଷଣା ସମ୍ପର୍କିତ ପ୍ରଶ୍ନ ନିର୍ଦ୍ଧାରଣ କରିବା ପରେ ଗବେଷଣା କରିବା ଜରୁରୀ ବୋଲି କହିଥିଲେ । ଏକ ପ୍ରଶ୍ନର ଉତର ଖୋଜିବା ବେଳେ ଏହା କି ପ୍ରକାର ରୂପାନ୍ତରଣ ମଧ୍ୟ ଦେଇ ଗତି କରେ ସେ ବିଷୟରେ ସେ ଆଲୋକପାତ କରିଥିଲେ । ଏହି ଅବସରରେ ମୁମ୍ବାଇସ୍ଥିତ ଆମ୍‌ପର୍‌ସାଂଟ ଗ୍ରୁପ୍‌ର ଚିଫ୍ ଏକାଡେମିକ୍ ଅଫିସର ତଥା ଆଇଆଇଏମ୍‌, ଇନ୍ଦୋରର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ତପନ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରେଗ୍ରାମ୍‌ର ପ୍ରକ୍ରିୟା ସମ୍ବନ୍ଧରେ ବୁଝାଇବା ସହ ଶିକ୍ଷା ଗ୍ରହଣ ଅନୁଭୂତି ଗବେଷଣା କାର୍ଯ୍ୟରେ ଅନେକ ସାହାଯ୍ୟ କରିବ ବୋଲି କହିଥିଲେ ।  ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍ ପ୍ରଫେସର ଡଃ ଅଂଶୁମାନ ସାମଲ୍ କାଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିବାବେଳେ ଆସୋସିଏଟ୍ ପ୍ରଫେସର ଡଃ ସ୍ମିତା ଏସ୍‌. ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love